ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀର ନିର୍ମାଣାଧୀନ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାମ ଜୋରସୋରରେ ଆଗେଇ ଚାଲିଛି । ଆଉ ମାତ୍ର ୪ ମିଟର ଥିବାବେଳେ ବେଳକୁ ବେଳ ନୂଆ ନୂଆ ପ୍ରତିବନ୍ଧକ ଦେଖାଦେଉଛି । ସୁଡ଼ଙ୍ଗର ଡ୍ରିଲିଂ କରୁଥିବା ଅଗର ମେସିନ ବାରମ୍ବାର ଖରାପ ହେଉଥିବାରୁ ଉଦ୍ଧାର କାମ ବିଳମ୍ବିତ ହେଉଛି । ପୁଣି ପାଇପ ଏପର୍ଯ୍ୟନ୍ତ ୪୬ ମିଟର ପର୍ଯ୍ୟନ୍ତ ଭର୍ତ୍ତି କରାଯାଇଛି, ଅର୍ଥାତ ଆହୁରି ୧୨ ମିଟର ବାକି ରହିଛି ।
ଗତ କାଲି ରାତିରେ ମେସିନ ଖରାପ ହୋଇଯାଇଥିଲା । ଏହି କାରଣରୁ ଆଜି ଅପରାହ୍ନ ୧ଟାରୁ କାମ ଆରମ୍ଭ ହୋଇନାହିଁ। ସୂଚନା ଅନୁଯାୟୀ, ଅଗୁର ମେସିନରେ ଦେଖାଦେଇଥିବା ସମସ୍ୟା ସଂପୂର୍ଣ୍ଣ ଦୂର ହୋଇପାରିନାହିଁ। ଏଭଳି ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଅତି କମରେ ୧୨ରୁ ୧୪ ଘଣ୍ଟା କିମ୍ବା ତା'ଠାରୁ ଅଧିକ ସମୟ ଲାଗିପାରେ। କାରଣ ଗତକାଲି ରାତିରେ ମେସିନ୍ କ୍ଷତିଗ୍ରସ୍ତ ହେବା ପରେ ଏହାକୁ ଠିକ୍ କରିବା ପାଇଁ ପ୍ରାୟ ୮ରୁ ୧୦ ଘଣ୍ଟା ସମୟ ଲାଗିଥିଲା ଏବଂ ଏହା ପରେ ମେସିନ୍ ପ୍ରାୟ ୨ ଘଣ୍ଟା ଚାଲିଥିଲା, ଯେଉଁଥିରେ ୧.୮ ମିଟର ଡ୍ରିଲିଂ କରାଯାଇଥିଲା ଏବଂ ସେବେଠାରୁ ପୁଣି କାମ ବନ୍ଦ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୪୬.୮ ମିଟର ଖନନ ସରିଛି।
ସର୍ବଶେଷ ସୂଚନା ଅନୁସାରେ ଅଗର ମେସିନ ପୁଣି ଥରେ ପ୍ରସ୍ତୁତ ହୋଇଯାଇଛି । କିନ୍ତୁ ତାହାର ବେସ୍ (ଭିତ୍ତି) ଦୂର୍ବଳ ଥିବାରୁ ଡ୍ରିଲିଂ ବେଳେ କମ୍ପନ ସୃଷ୍ଟି ହେଉଛି । ବେସକୁ ସୁଦୃଢ କରାଯାଉଛି । ଫଳରେ ଆସନ୍ତା ୨ ଘଣ୍ଟା ମଧ୍ୟରେ କାମ ଆରମ୍ଭ ହୋଇପାରେ ।