ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୭୦ ଟପିଯାଇଛି। ୧୧ ଜଣ ଏବେ ବି ନିଖୋଜ ଅଛନ୍ତି। ରାଜ୍ୟରେ ୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି। ସବୁଠୁ ଖରାପ ପ୍ରଭାବିତ କୁମାଓଁରେ ଏଯାବତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଆକାଶ ମାର୍ଗରୁ ଉତ୍ତରାଖଣ୍ଡର ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ଧାମୀ ମଧ୍ୟ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ୩ ଦିନ ଧରି ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଗତ ୧୯ ତାରିଖରେ ଉତ୍ତରାଖଣ୍ଡରେ ୪୫ରୁ ଅଧିକ ମୃତ୍ୟୁ ହୋଇଥିଲା। ଏଥିମଧ୍ୟରୁ ନୈନିତାଲରେ ସର୍ବାଧିକ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଲ୍ମୋରାରେ ୬, ଚମ୍ପାୱତରେ ୮, ଉଧମ ସିଂହ ନଗରରେ ୨ ଜଣଙ୍କର ଏବଂ ବାଗେଶ୍ବରରେ ଜଣଙ୍କ ମୃତ୍ୟୁ ହୋଇଛି। ଇତି ମଧ୍ୟରେ ଗତ ୧୮ ତାରିଖରେ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ୪ ଧାମ ଯାତ୍ରା ପୁଣି ଆରମ୍ଭ ହୋଇଛି।
ବରଫପାତ ଯୋଗୁଁ ୧୦ ଟ୍ରେକରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ
ଡେରାଡୁନ୍: ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ବରଫପାତ ଯୋଗୁଁ ଆଜି ୩ଟି ପୃଥକ୍ ସ୍ଥାନରେ ୧୦ ଟ୍ରେକର୍ଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଆଇଟିବିପିର ପୋର୍ଟର ଅଛନ୍ତି। ସେମାନେ ଉତ୍ତରକାଶୀ ଜିଲ୍ଲାର ଭାରତ-ଚୀନ୍ ସୀମାରେ ମୁତୟନ ହୋଇଥିଲେ। ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ ଜଣ ନିଖୋଜ ଥିବା ଜଣାପଡ଼ିଛି। ଏସ୍ଡିଆରଏଫ୍ ଡିଆଇଜି ରିଧିମ ଅଗ୍ରୱାଲ୍ କହିଛନ୍ତି, ୮ ଟ୍ରେକର, ଜଣେ ରୋଷେୟା, ୨ ଜଣ ଗାଇଡ୍ଙ୍କ ସମେତ ମୋଟ୍ ୧୧ ଜଣ ସଦସ୍ୟ ବିଶିଷ୍ଟ ଏକ ଦଳ ଗତ ୧୪ ତାରିଖରେ ଉତ୍ତରାଖଣ୍ଡର ହର୍ଶିଲ୍ରୁ ହିମାଚଳପ୍ରଦେଶର ଚିତକୁଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତେବେ ୧୭ ତାରିଖରେ ପାଗ ହଠାତ୍ ଅତ୍ୟନ୍ତ ଖରାପ ହୋଇଯିବାରୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି। ଅନ୍ୟମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଦ୍ବିତୀୟ ଘଟଣାରେ ଆଇଟିବିପିର ୩ଜଣ ପୋର୍ଟରଙ୍କର ପ୍ରବଳ ବରଫପାତ ଯୋଗୁଁ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ବାଗେଶ୍ବର ଜିଲ୍ଲାର କୁମାଓଁ ଅଞ୍ଚଳରେ ମୋଟ୍ ୨୪ ଘରୋଇ ଟ୍ରେକରଙ୍କ ସମେତ ୬୦ ଜଣ ନିଖୋଜ ହୋଇଯାଇଥିଲେ। ଏମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ ନାଗରିକ ଏବଂ ୩୦ ଜଣ ସ୍ଥାନୀୟ ଗ୍ରାମବାସୀ ଥିଲେ। ଏମାନଙ୍କ ମଧ୍ୟରୁ ୪ ଟ୍ରେକରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/65g4dj654gdj32gdj1gd3jdgjdjdgdgjj.jpg)