ନୂଆଦିଲ୍ଲୀ: ରାଜନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପି ଗତ ଲୋକସଭା ନିର୍ବାଚନରେ ଅତି ଖରାପ ପ୍ରଦର୍ଶନ କରିବାପରେ ଏବେ ରାଜ୍ୟ ବିଜେପିରେ ଏକ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶରେ ଦଳର ଖରାପ ପ୍ରଦର୍ଶନ ପାଇଁ ରାଜ୍ୟ ବିଜେପି ସଭାପତି ଭୂପେନ୍ଦ୍ର ଚୌଧାରୀ ନିଜକୁ ଦାୟୀ କରିଛନ୍ତି ଏବଂ ଏଥିପାଇଁ ସେ ତାଙ୍କ ପଦରୁ ଓହରିଯିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ୟୁପି ବିଜେପି ମୁଖ୍ୟ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି ଏବଂ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି । ଗତ କିଛି ଦିନ ଧରି ଉତ୍ତରପ୍ରଦେଶର ପ୍ରମୁଖ ବିଜେପି ନେତାମାନେ ଦିଲ୍ଲୀରେ ଅଛନ୍ତି ଏବଂ ଦଳୀୟ ନେତୃବୃନ୍ଦଙ୍କ ସହ ବୈଠକ କରୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଆଜି ଦିଲ୍ଲୀରେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବାଦ୍ବାରା ଦଳରେ ଆସିବାକୁ ଥିବା ସଂସ୍କାର ସଂକ୍ରାନ୍ତରେ ସ୍ପଷ୍ଟ ହୋଇଯାଇଛି।

Advertisment

ମିଳିଥିବା ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ଆଜି ଉତ୍ତରପ୍ରଦେଶ ବିଜେପି ସଭାପତିଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତେବେ ଚର୍ଚ୍ଚା ହେଉଛି ‌ଯେ ବିଜେପି ଜଣେ ଓବିସି ନେତାଙ୍କୁ ଏହାର ରାଜ୍ୟ ମୁଖ୍ୟ କରିବାପାଇଁ ଆଗ୍ରହୀ ଅଛି। ବର୍ତ୍ତମାନ ବିଜେପି ସଭାପତି ଥିବା ଚୌଧାରୀ ମୋରାଦାବାଦର ଜଣେ ଜାଟ୍‌ ନେତା । ଜାଟ୍‌ ସମ୍ପ୍ରଦାୟରେ ଥିବା ଅସ‌ନ୍ତୋଷ ଦୂର କରିବାପାଇଁ ୨୦୨୨ରେ ତାଙ୍କୁ ଏହି ଦାୟିତ୍ବ ମିଳିଥିଲା। କିନ୍ତୁ ‌ଲୋକସଭା ନିର୍ବାଚନରେ ଖରାପ ଦର୍ଶନ ପାଇଁ ସେ ନିଜକୁ ଦାୟୀ କରିବା ସହ ପଦରୁ ଓହରିଯିବା ପାଇଁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ବିଜେପିରେ କନ୍ଦଳ ଦେଖାଦେଇଛି ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି। ଗତ ରବିବାର ହୋଇଥିବା ଏକ ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କର ଭିନ୍ନ ଟିପ୍ପଣୀକୁ ନେଇ ଏହି ଚର୍ଚ୍ଚା ଜୋର ଧରିଛି।