ନୂଆଦିଲ୍ଲୀ : ଉତ୍ତରକାଶୀର ବିପର୍ଯ୍ୟୟଗ୍ରସ୍ତ ଧରାଲି ଗ୍ରାମରେ ଶୁକ୍ରବାର ଉଦ୍ଧାର ଅପରେସନ୍ ତ୍ବରାନ୍ବିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଆଉ ୫୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଗଙ୍ଗୋତ୍ରୀ ଜାତୀୟ ରାଜପଥ ଏବଂ ଅନେକ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଆକାଶ ମାର୍ଗରୁ ଉଦ୍ଧାର ଏବଂ ରିଲିଫ୍ ଅପରେସନ୍ ଚାଲିଛି। ଉଦ୍ଧାର ଅପରେସନ୍ର ଚତୁର୍ଥ ଦିନରେ ମୋଟ୍ ୮୪୦ ଜଣଙ୍କୁ ଉଦ୍ଧାର କରାଗଲାଣି। ତେବେ ୬୦ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ସେମାନଙ୍କ ମଧ୍ୟରେ ୯ ଜଣ ସେନା ଯବାନ ଏବଂ ୭ ଜଣ ସାଧାରଣ ନାଗରିକ ଅଛନ୍ତି। ଜିଲ୍ଲା ପ୍ରଶାସନ ମଙ୍ଗଳବାର କହିଛି ଯେ ଅଚାନକ ବନ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। କିନ୍ତୁ ଏଯାବତ ୨ ଜଣଙ୍କ ମୃତଦେହ ମିଳିଛି। ଶୁକ୍ରବାର ସକାଳେ ୫୬୬ ଲୋକଙ୍କୁ ସୁରକ୍ଷିତ ଭାବେ ଆଇଟିବିପିର ମଟଲି ହେଲିପ୍ୟାଡ୍କୁ ଅଣାଯାଇଛି। ଆହୁରି ୩୦୦ରୁ ଅଧିକ ଲୋକ ଉଦ୍ଧାର ଅପେକ୍ଷାରେ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।
ଉଦ୍ଧାର ଅପରେସନ୍ରେ ଚିନୁକ ହେଲିକପ୍ଟର, ବାୟୁସେନାର ୨ଟି ଏମ୍ଆଇ-୧୭ ଏବଂ ୟୁସିଏଡିଏ ( ଉତ୍ତରାଖଣ୍ଡ ସିଭିଲ ଏଭିଏସନ ଡେଭେଲପମେଣ୍ଟ ଅଥୋରିଟି) ମୁତୟନ ହୋଇଛି। ପ୍ରଭାବିତ ଅଞ୍ଚଳକୁ ହେଲିକପ୍ଟର ଯୋଗେ ଖାଦ୍ୟ ସାମଗ୍ରୀ ମଧ୍ୟ ପଠାଯାଉଛି। ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉତ୍ତରକାଶୀ ଜିଲ୍ଲା ମୁଖ୍ୟାଳୟରେ ଶିବିର ପକାଇ ରହିଛନ୍ତି। ଆଜି ସକାଳେ ଫେସବୁକ୍ରେ ଏକ ପୋଷ୍ଟ୍ କରି ସେ କହିଛନ୍ତି, ‘ଆଜି ସକାଳେ ଉତ୍ତରକାଶୀର ଧରାଲିରେ ଚାଲିଥିବା ରିଲିଫ୍ ଏବଂ ଉଦ୍ଧାର ଅପରେସନ୍ ସମୀକ୍ଷା କରିଛି’। ହେଲି ସେବା, ଏମ୍ଆଇ-୧୭ ଏବଂ ଚିନୁକ ହେଲିକପ୍ଟର ସହାୟତାରେ ଆଜି ସକାଳୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ୍ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାସ୍ତାଘାଟ, ଯୋଗାଯୋଗ, ବିଦ୍ୟୁତ୍ ଓ ଖାଦ୍ୟ ଯୋଗାଣ ପୁନର୍ବାର ସ୍ବାଭାବିକ କରିବାପାଇଁ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାର ଉଦ୍ଧାର ଉଦ୍ୟମ ପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଗୋଟିଏ ମାସର ଦରମା ରିଲିଫ୍ ଅପରେସନ୍ ପାଇଁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଧାମୀ କହିଛନ୍ତି, ରାଜ୍ୟ ସରକାର ପ୍ରଭାବିତଙ୍କ ସହ ରହିଛନ୍ତି ଏବଂ ଜଟିଳ ସ୍ଥିତିରେ ସହଯୋଗ କରୁଛନ୍ତି।
ଉତ୍ତରକାଶୀ ବିପର୍ଯ୍ୟୟ: ୫୬୬ ଜଣ ସୁରକ୍ଷିତ ଉଦ୍ଧାର
ଉତ୍ତରକାଶୀର ବିପର୍ଯ୍ୟୟଗ୍ରସ୍ତ ଧରାଲି ଗ୍ରାମରେ ଶୁକ୍ରବାର ଉଦ୍ଧାର ଅପରେସନ୍ ତ୍ବରାନ୍ବିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଆଉ ୫୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
/sambad/media/media_files/2025/08/09/untitled-15-2025-08-09-07-18-59.jpg)