ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସିଲ୍କିୟାରା ଟନେଲ ଭୁଶୁଡ଼ିବା ଘଟଣାରେ ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଏପରିକି ଆସନ୍ତା କାଲି ସକାଳ ପୂର୍ବରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରେ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଉଛି ।
ଟନେଲର ପ୍ରବେଶ ପଥରୁ ଆମେରିକୀୟ ଅଗର ମେସିନ୍ ମାଧ୍ୟମରେ ପ୍ରାୟ ୪୨ ମିଟର ପର୍ଯ୍ୟନ୍ତ ୮୦୦ ମିଲିମିଟର (ପ୍ରାୟ ୩୨ ଇଞ୍ଚ) ପାଇପ୍ ଖୋଳାଯାଇଛି। ଏବେ ପ୍ରାୟ ୧୮ ମିଟର ଖନନ ବାକି ରହିଛି। ଅବଶିଷ୍ଟ ଖନନ ଗୁରୁବାର ସକାଳ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଖନନ କାର୍ଯ୍ୟ ଶେଷ ହେବା ପରେ ଏଠାରୁ ୩୨ ଇଞ୍ଚର ପାଇପ୍ ପ୍ରବେଶ କରାଯିବ। ଏସବୁ ପାଇପକୁ ଓଡ଼ିଶାର ରାଉରକେଲାରୁ ବାୟୁସେନା ବିମାନରେ ସେଠାକୁ ନିଆଯାଇଛି । ଏହା ଜରିଆରେ ଶ୍ରମିକମାନେ ବାହାରକୁ ଚାଲିଯିବେ।
ଶ୍ରମିକମାନେ ଯେପରି ସୁବିଧାରେ ପାଇପବାଟ ଦେଇ ବାହାରକୁ ଆସିପାରିବେ ସେଥିପାଇଁ ସୁଡ଼ଙ୍ଗ ଭିତରକୁ ଏନଡିଆରଏଫ ଯବାନମାନେ ଯିବେ । ଏହା ସହିତ ପାଇପ ଭିତର ଦେଇ ସହଜରେ ଆସିବାକୁ ଏକ ଚକ ଲାଗିଥିବା ଷ୍ଟ୍ରେଚର ପଠାଯିବ ଓ ଶ୍ରମିକମାନଙ୍କୁ ବାହାରୁ ରସି ମାଧ୍ୟମରେ ଟାଣି ଅଣାଯିବ। ଶ୍ରମିକମାନେ ବାହାରକୁ ଆସିବା ପରେ ସେମାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ମହଜୁଦ ରହିଛି ।