ଉତ୍ତରକାଶୀ: ଉତ୍ତରକାଶୀ ସୁଡ଼ଙ୍ଗରେ ନଭେମ୍ବର ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଥିବା ବିଶାଳ ଅଭିଯାନର ସଫଳ ପରିସମାପ୍ତି ସହ ଶ୍ରମିକମାନଙ୍କୁ ନୂଆ ଜୀବନ ମିଳିଛି। ବ୍ରହ୍ମଖାଲ-ଯମୁନୋତ୍ରୀ ରାଜପଥର ନିର୍ମାଣାଧୀନ ସୁଡ଼ଙ୍ଗରେ ଅତଡ଼ା ଧସିବାରୁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଥିଲା। ସବୁକିଛି ପରେ ବି ଅମାପ ଚେଷ୍ଟା ବଳରେ ସମସ୍ତ ଜୀବନଙ୍କୁ ବଞ୍ଚାଯାଇ ପାରିଛି।
ସୁଡ଼ଙ୍ଗରୁ ବାହାରିବା ପରେ ସେଠାରେ ଥିବା ବେଳର ଅଭିଜ୍ଞତାକୁ ଏବେ ଗଣମାଧ୍ୟମ ସମ୍ମୁଖରେ ବଖାଣୁଛନ୍ତି ଫସିଥିବା ଶ୍ରମିକ। ସେମାନଙ୍କ ମୁହଁରେ ସୁଡ଼ଙ୍ଗ ଭିତରେ ରହିବା ୧୭ ଦିନର କାହାଣୀ ଶୁଣିବା ପରେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ।
ସୁଡ଼ଙ୍ଗରୁ ବାହାରିବା ପରେ ଝାଡ଼ଖଣ୍ଡର ଜଣେ ଶ୍ରମିକ ଗଣମାଧ୍ୟମରେ ତାଙ୍କ ଅଭିଜ୍ଞତା ବଖାଣି କହିଛନ୍ତି, ‘‘ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆମକୁ ଲାଗୁଥିଲା ଯେ ଆମେ ଆଉ ବଞ୍ଚିପାରିବୁନି। ହେଲେ ଆମେ ସମସ୍ତେ ସମସ୍ତଙ୍କୁ ସାହସ ଦେଲୁ। ସୁଡ଼ଙ୍ଗରେ ଗୋଟାଏ ସ୍ଥାନରେ ଟପ୍ ଟପ୍ ହୋଇ ପାଣି ପଡୁଥିଲା। ଆମେ ସେଠାରେ ଗାଧୋଉଥିଲୁ। ସମୟ ବିତାଇବା ପାଇଁ ମୋବାଇଲ୍ରେ ଲୁଡୁ ଖେଳୁଥିଲୁ। କେବେ କେବେ ଆମେ ପରସ୍ପରଙ୍କ ସହ ପରିବାର ଲୋକଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲୁ। ଯଦି କେହି ନିଜର ସାହସ ହାରି ଦେଉଥିଲେ ତ ଅନ୍ୟମାନେ ମିଶି ତାଙ୍କ ସାହସ ବଢ଼ାଉଥିଲେ।’’
ସୁଡ଼ଙ୍ଗ ଭିତରେ ବହୁତ ଜାଗା ଥିଲା। ଆମେ ନିର୍ଦ୍ଦିଷ୍ଟ ଗୋଟାଏ ସ୍ଥାନରେ ଝାଡ଼ା, ପରିଶ୍ରା କରୁଥିଲୁ। ଏପରିକି ସୁଡ଼ଙ୍ଗ ଭିତରେ ଏପଟ, ସେପଟ ବୁଲି ବି ସମୟ ବିତାଇ ଦେଉଥିଲୁ ବୋଲି ଶ୍ରମିକ ଜଣକ କହିଛନ୍ତି।