ଡେରାଡୁନ୍: ଉତ୍ତରକାଶୀ ଜିଲ୍ଲାରେ ବାଦଲଫଟା ବର୍ଷା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି। ଆକସ୍ମିକ ବନ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ଆବର୍ଜନା ତଳେ ଫସି ରହିଥିବା ଲୋକଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଇତିମଧ୍ୟରେ ଭାରତୀୟ ସେନା, ଏସ୍ଡିଆର୍ଏଫ୍ ଓ ସ୍ଥାନୀୟ ପୁଲିସ ୪୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ତେବେ ଲଗାଣ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସର୍ବାଧିକ ପ୍ରଭାବିତ ହୋଇଥିବା ଧରାଲି ଗ୍ରାମର ସ୍ଥିତି ଆକାଶ ମାର୍ଗରୁ ଦେଖିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଡେରାଡୁନସ୍ଥିତ ଏମରଜେନ୍ସି ଅପରେସନ୍ କେନ୍ଦ୍ର (ଇଓସି)ରେ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ୩ ଜଣ ଏସ୍ପି, ୧୦ ଜଣ ଡିଏସ୍ପିଙ୍କ ସମେତ ୧୬୦ରୁ ଅଧିକ ପୁଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରହିଛି। ପାଗ ଭଲ ହେଲେ ହେଲିକପ୍ଟରଗୁଡ଼ିକ ଉଦ୍ଧାର କାର୍ଯ୍ୟରେ ବ୍ୟବହାର ହେବ। ଅନ୍ୟପକ୍ଷରେ ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତି ଆକଳନ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଧାମୀ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, ‘ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା।’
ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ
୪୦୦ ଉଦ୍ଧାର, ନିଖୋଜ ଯବାନଙ୍କ ତଲାସୀ ଜାରି
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଅପରାହ୍ଣ ପ୍ରାୟ ୧.୪୫ରେ ଧରାଲି ଓ ସୁଖିରେ ୨ଥର ବାଦଲଫଟା ବର୍ଷା ହୋଇ ଅଚାନକ ବନ୍ୟା ଆସିଥିଲା ଏବଂ ଆଖି ପିଛୁଳାକେ ସବୁ କିଛି ପୋଛି ନେଇଥିଲା। ଧରାଲିରେ ଅତି ଉଦ୍ବେଗଜନକ ସ୍ଥିତି ଦେଖିବାକୁ ମିଳିଛି। ପାଖାପାଖି ୨୦ରୁ ୨୫ ହୋଟେଲ ଓ ଗେଷ୍ଟ ହାଉସ୍ ଭାସି ଯାଇଛି। ଧରାଲି ବଜାରର ଏକ ବଡ଼ ଅଂଶ ଧୋଇଯାଇଛି। ଏନ୍ଡିଆର୍ଏଫ୍ ଡିଆଇଜି ମୋହସିନ ଶାହିଦି କହିଛନ୍ତି, ଗତକାଲି ଉତ୍ତରକାଶିର ହର୍ସିଲରେ ଅଚାନକ ବନ୍ୟାରେ ୧୧ ଜଣ ସେନା ଯବାନ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି। ସେନା ପକ୍ଷରୁ ବଡ଼ଧରଣର ମାନବୀୟ ସହାୟତା ଓ ବିପର୍ଯ୍ୟୟ ରିଲିଫ୍ ଅପରେସନ୍ ଆରମ୍ଭ ହୋଇଥିବା ସେ କହିଛନ୍ତି। ନିଖୋଜଙ୍କୁ ଚିହ୍ନଟ କରିବା ପାଇଁ ଘଟଣାସ୍ଥଳରେ ସନ୍ଧାନୀ କୁକୁରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୨୫୦ ଯବାନ ସାମିଲ ଥିବା ସେ କହିଛନ୍ତି।
ବାଦଲଫଟା ବର୍ଷା ଯୋଗୁଁ ପ୍ରଭାବିତ ପରିବାର ସଦସ୍ୟଙ୍କୁ ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଭେଟିଛନ୍ତି। ଏହି ବିପର୍ଯ୍ୟୟ ଅନେକ ପରିବାରକୁ ଦୁଃଖ ଦେଇଛି। ଆମ ସରକାର ପ୍ରଭାବିତ ପରିବାର ସହ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ଭୂସ୍ଖଳନ ପାଇଁ ହରିଦ୍ବାର-ଡେରାଡୁନ ମଧ୍ୟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି। ଉତ୍ତରକାଶୀ ଜିଲ୍ଲାକୁ ବୁଲିବାକୁ ଆସି ଫସି ରହିଥିବା ମହାରାଷ୍ଟ୍ରର ୫୧ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/07/dgdggdvvc-2025-08-07-01-53-02.jpg)