ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍କିୟାରା ଟନେଲ୍ ଭିତରେ ଫସି ରହିଥିବା ଶ୍ରମିକଙ୍କ ପ୍ରଥମ ଲାଇଭ୍ ଦୃଶ୍ୟ ମଙ୍ଗଳବାର ସକାଳେ ପଦାକୁ ଆସିଛି। ଉଦ୍ଧାରକାରୀମାନେ ସୋମବାର ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗର ଭଗ୍ନାବଶେଷ ଭିତରେ ୬ ଇଞ୍ଚ ଚଉଡ଼ା ପାଇପ୍ ଭର୍ତ୍ତି କରିଥିଲେ, ଯାହା ଫଳରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ପାଖରେ ଅଧିକ ପରିମାଣର ଖାଦ୍ୟ ପହଞ୍ଚିବା ସହ ସେମାନଙ୍କର ଲାଇଭ୍ ଦୃଶ୍ୟ ଦେଖିବା ସମ୍ଭବ ହୋଇଛି।

Advertisment

ବିକଳ୍ପ ୬ ଇଞ୍ଚର ଖାଦ୍ୟ ପାଇପଲାଇନ ମାଧ୍ୟମରେ ପଠାଯାଇଥିବା ଏଣ୍ଡୋସ୍କୋପିକ୍ କ୍ୟାମେରା ବ୍ୟବହାର କରି ଏହି ଦୃଶ୍ୟ ରେକର୍ଡ କରାଯାଇଛି। ଫସି ରହିଥିବା ଶ୍ରମିକଙ୍କୁ ଗଣନା କରିବା ଏବଂ ସୁଡ଼ଙ୍ଗର ଆଭ୍ୟନ୍ତରୀଣ ଭୂଗୋଳ ବୁଝିବା ପାଇଁ କ୍ୟାମେରା ବ୍ୟବହାର କରାଯାଉଛି। ଭିଡିଓରେ ହଳଦିଆ ଓ ଧଳା ହେଲମେଟ୍ ପିନ୍ଧିଥିବା ଶ୍ରମିକମାନେ ପାଇପ୍ ଜରିଆରେ ପଠାଯାଇଥିବା ଖାଦ୍ୟ ସାମଗ୍ରୀ ଗ୍ରହଣ କରିବା ସହ ପରସ୍ପର ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ‘ଆପଣମାନେ ଠିକ୍ ଅଛନ୍ତି କି? ଯଦି ଆପଣ ସମସ୍ତେ ଠିକ୍ ଅଛନ୍ତି, ଦୟାକରି କ୍ୟାମେରା ସାମ୍ନାକୁ ଆସନ୍ତୁ। ହାତ ଟେକି ହସନ୍ତୁ’ ବୋଲି ଶ୍ରମିକମାନଙ୍କୁ ୱାକି-ଟକିରେ କୁହାଯାଇଥିଲା। କ୍ୟାମେରା ସାମ୍ନାରେ ଧାଡ଼ି ବାନ୍ଧି ଶ୍ରମିକମାନେ ପ୍ରତିକ୍ରିୟା ରଖିଥିଲେ। ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍)ର ନିର୍ଦ୍ଦେଶକ ଅଂଶୁ ମନୀଷ ଖଲ୍ଖୋ ପୂର୍ବରୁ କହିଥିଲେ ଯେ ଶ୍ରମିକମାନେ କିପରି ଅଛନ୍ତି ତାହା ଦେଖିବା ପାଇଁ ପାଇପ୍ ଲାଇନ୍ ମାଧ୍ୟମରେ କ୍ୟାମେରା ପଠାଯିବ।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କ ପରିବାରକୁ ଏହି ଘଟଣା ବଡ଼ ଆଶ୍ୱସ୍ତି ଦେଇଛି। ବିହାର ବାଙ୍କାର ବୀରେନ୍ଦ୍ର କିସ୍କୁଙ୍କ ଭାଇ ଯୋଗେନ୍ଦ୍ର କିସ୍କୁ କହିଛନ୍ତି, ‘ନୀତିନ ଗଡ଼କରୀଜୀ ଆମକୁ କହିଥିଲେ ଯେ ଅଢ଼େଇ ଦିନ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହେବ। ଆମର ଆଶା ଭାଙ୍ଗି ଯାଉଥିଲା। ଏବେ ଆସିଲା ଖୁସି ଖବର, ସାମ୍ନାକୁ ଆସିଲା ଶ୍ରମିକଙ୍କ ଫଟୋ... ବୀରେନ୍ଦ୍ର ଫଟୋରେ ନାହାନ୍ତି କିନ୍ତୁ ଏବେ ଆମର ଆଶା ଦୃଢ଼ ହେବାରେ ଲାଗିଛି। ବୀରେନ୍ଦ୍ରଙ୍କ ପତ୍ନୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ କଥା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଉତ୍ତରକାଶୀ ଟନେଲ ଉଦ୍ଧାର ଅଭିଯାନର ବିକାଶ ସମ୍ପର୍କରେ ଏକ୍ସରେ ପୋଷ୍ଟ କରିଛନ୍ତି। ପ୍ରଥମ ଥର ପାଇଁ ଉତ୍ତରକାଶୀର ସିଲ୍କିଆରାରେ ନିର୍ମାଣାଧୀନ ସୁଡ଼ଙ୍ଗରେ ଶ୍ରମିକମାନେ ଫସି ରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସମସ୍ତ ଶ୍ରମିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ସେମାନଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ବାହାର କରିବା ପାଇଁ ଆମେ ସମସ୍ତ ପ୍ରକାର ଚେଷ୍ଟା କରୁଛୁ ବୋଲି ସେ ଏକ୍ସରେ ଲେଖିଛନ୍ତି। ଏଣେ ଶ୍ରମିକଙ୍କ ପାଖରେ ଶୀଘ୍ର ପହଞ୍ଚିବା ପାଇଁ ଉଦ୍ଧାରକାରୀ କର୍ତ୍ତୃପକ୍ଷ ମଙ୍ଗଳବାର ଅପରାହ୍ଣରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ କରିଛନ୍ତି। ସିଲ୍କିୟାରା ପ୍ରାନ୍ତରୁ ଅପରାହ୍ଣ ୨ଟାରେ ଏହା ଆରମ୍ଭ ହୋଇଛି।