ନୂଆଦିଲ୍ଲୀ/ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭିତରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଫସିଥିବା ଶ୍ରମିକଙ୍କୁ ଚକ ଲାଗିଥିବା ଷ୍ଟ୍ରେଚର ଜରିଆରେ ଜଣକ ପରେ ଜଣେ ବାହାରକୁ ଦୌଡ଼ି ସାହାଯ୍ୟରେ ଟାଣି ବାହାର କରାଯିବ। ଏନଡିଆର୍‌ଏଫ୍‌ ପକ୍ଷରୁ ଆଜି ଏକ ଭିଡିଓ ଜାରି କରଯାଇଛି। ସେଥିରେ ଫସିଥିବା ଶ୍ରମିକମାନଙ୍କୁ ବାହାର କରାଯିବ ତାହା ଦର୍ଶାଯାଇଛି। ଏନଡିଆରଏଫର ଜଣେ ଅଧିକାରୀ ପାଇପ୍ ଭିତରେ ଚକଲଗା ଷ୍ଟ୍ରେଚରକୁ ପେଲି ପେଲି ଭିତରକୁ ଯାଇଥିଲେ। ତାହା ପରେ ତାଙ୍କୁ ଷ୍ଟ୍ରେଚରରେ ଲାଗିଥିବା ଦୌଡ଼ିକୁ ଟାଣି ବାହାର କରଯାଇଛି। ଭିତରକୁ ଯାଇଥିବା ପାଇପ୍‌ର ୱେଲଡିଂ ସ୍ଥାନରେ ଯେଭଳି ଶ୍ରମିକମାନଙ୍କ ହାତଗୋଡ଼ ବାଜି ଖଣ୍ଡିଆ ନହେବ ସେଥିପାଇଁ ସେମାନଙ୍କୁ ଷ୍ଟ୍ରେଚରରେ ତଳୁଆ ଶୋଇ ରହିବାକୁ କୁହାଯିବ।

Advertisment

ଶ୍ରମିକମାନେ ଜଣକ ପରେ ଜଣେ ଗୁରୁଣ୍ଡି ଗୁରୁଣ୍ଡି ଆସିବା ଲାଗି ଉଦ୍ଧାରକାରୀ ଦଳ ପ୍ରଥମେ ଚିନ୍ତା କରିଥିଲେ। କିନ୍ତୁ ୧୩ ଦିନ ହେଲା ସେମାନେ ଟନେଲ ଭିତରେ କମ୍ ଖାଦ୍ୟରେ ଏବଂ ବିନା ସୂର୍ଯ୍ୟକିରଣରେ ରହିଥିବାରୁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥାଇ ପାରେ। ତେଣୁ ସେମାନଙ୍କୁ ଷ୍ଟ୍ରେଚର ଜରିଆରେ ବାହାର କରିବା ବିଷୟ ଚିନ୍ତା କରାଯାଇଛି।

ଫସି ରହିଥିବା ଶ୍ରମିକମାନଙ୍କୁ ଗତ ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ପାଇପ୍ ଜରିଆରେ ଭିତରକୁ ପଠାଯାଇଥିବା ଏଣ୍ଡୋସ୍କୋପିକ କ୍ୟାମେରା ଜରିଆରେ ଦେଖିବାକୁ ମିଳିଥିଲା। ସେହିଭଳି ୬ ଇଞ୍ଚ ମୋଟେଇର ପାଇପ୍ ଜରିଆରେ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଆଧାରରେ ଖାଦ୍ୟପାନୀୟ ଆଦି ପଠାଯାଉଛି।
ଗତକାଲି ସନ୍ଧ୍ୟ‌ାରେ ଯାନ୍ତ୍ରିକ ତ୍ରୁଟି ପାଇଁ ଡ୍ରିଲିଂ କାର୍ଯ୍ୟ କିଛି ସମୟ ପାଇଁ ବନ୍ଦ ରହିଥିଲା। ଉଦ୍ଧାରକାରୀ ଦଳର କହିବାନୁଯାୟୀ, ୪୮ ମିଟର ଖୋଳାଯାଇ ସାରିଛି। ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଆଉ ୧୦ ମିଟର ଖୋଳିବାକୁ ହେବ। ଗତ ସପ୍ତାହେ ହେଲା ଶ୍ରମିକଙ୍କ ଉଦ୍ଧାର ପାଇଁ ଏକାଧିକ ଉଦ୍ୟମ ଚାଲିଛି। କିନ୍ତୁ ଖୋଳିବା ସମୟରେ ଅନେକ ସମସ୍ୟା ଦେଖାଦେଉଛି। ଫଳରେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। କିନ୍ତୁ ଏନଡିଆରଏଫ ଠାରୁ ଆରମ୍ଭ କରି ଏସ୍ଡିଆର୍ଏଫ୍, ବିଆର୍ଓ, ଆଇଟିବିପି ଆଦି ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏକ ଅନ୍ତର୍ଜାତୀୟ ଟନେଲିଂ ବିଶେଷଜ୍ଞ ଏବଂ ଡିଆରଡିଓର ରୋବୋଟିକ୍ ଟିମ୍ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ନିର୍ମାଣାଧୀନ ଟନେଲ ଚାରି ଧାମକୁ ଉତ୍ତମ ସଂଯୋଗ ସ୍ଥାପନ ପାଇଁ ଉକ୍ତ ଟନେଲ ନିର୍ମାଣ ହେଉଛି।