ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍କିୟାରା-ବାରକୋଟ୍ ଟନେଲ୍ ଭିତରେ ଗତ ୧୬ ଦିନ ଦିନ ହେଲା ଫସି ରହିଛନ୍ତି ୫ ଓଡ଼ିଆଙ୍କ ସମେତ ୪୧ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ଏଜେନ୍ସି ଲାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ। ହରାଇଜଣ୍ଟାଲ ବା ଭୂସମାନ୍ତରାଳ ଖନନ କରି ସୁଡଙ୍ଗରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟ ବାହାର କରିବା ଲାଗି ଉଦ୍ୟମ ଚାଲିଛି। କିନ୍ତୁ ଏହି କାର୍ଯ୍ୟରେ ନିୟୋଜିତ ଅଗର ମେସିନ ବାରମ୍ବାର ଖରାପ ହେଉଛି। ଏହା ସତ୍ତ୍ବେ ଏବେ ଦୁଇଟି ଉପାୟରେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ଲାଗି ଉଦ୍ଧାରକାରୀ ଦଳ ଓ ପ୍ରଶାସନ ଧ୍ୟାନ ଦେଉଛି। ସେଥିରୁ ଗୋଟିଏ ହେଲା ହରାଇଜଣ୍ଟାଲ ଡ୍ରିଲିଂ ବା ଭୂସମାନ୍ତରାଳ ଖନନ ଏବଂ ଅନ୍ୟଟି ହେଲା ଭର୍ଟିକାଲ ଡ୍ରିଲିଂ ବା ଭୂଲମ୍ବ ଖନନ।
ପାହାଡ଼ର ଉପର ଭାଗରୁ ଗତକାଲି ଠାରୁ ଆରମ୍ଭ ହୋଇଥିବା ଭର୍ଟିକାଲ ଡ୍ରିଲିଂ ଜରିଆରେ ୩୬ ମିଟର ଖନନ ହୋଇଛି। ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟ ଅଂଶ ଦେଇ ମାନୁଆଲ ହରାଇଜଣ୍ଟାଲ ମାଇନିଂ (ହାତରେ ଭୂସମାନ୍ତରାଳ ଖନନ) ଆରମ୍ଭ ହୋଇ ରୢାଟ୍ ହୋଲ୍ ମାଇନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ରୢାଟ ହୋଲ୍ ମାଇନିଂ ପ୍ରକ୍ରିୟା ସାଧାରଣତଃ କୋଇଲା ଖଣିରେ କୋଇଲା ଖନନ ପାଇଁ କରାଯାଇଥାଏ। ଏହା ମାଧ୍ୟମରେ ସରୁ ଗାତ ଖୋଳାଯାଇଥାଏ। ସୁଡ଼ଙ୍ଗରେ ଫସିଥିବା ଶ୍ରମିକମାନଙ୍କୁ ବାହାରକୁ ଆଣିବା ଲାଗି ଯେଉଁ ୬ଟି ବିକଳ୍ପ ଯୋଜନା ପ୍ରସ୍ତୁତ କରାଯାଇଛି ସେଥିରୁ ଉପରୋକ୍ତ ଦୁଇଟି ଯୋଜନାର କାର୍ଯ୍ୟକାରିତାକୁ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଗୁରୁତ୍ବ ଦିଆଯାଉଛି। ଅଗର ମେସିନ ଭାଙ୍ଗିଯିବା ପରେ ସେନାକୁ ମଧ୍ୟ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜନ କରାଯାଇଛି। ବର୍ତ୍ତମାନ ଅଗର ମେସିନକୁ ଟନେଲ ମଧ୍ୟରୁ ବାହାର କରାଯାଇଛି। ଏହି ସମୟରେ ପାଇପ୍ର ଯେଉଁ ଅଂଶ ଭାଙ୍ଗିରୁଜି ଯାଇଛି ତାହାକୁ ମରାମତି କରାଯାଉଛି।
ଉପରୁ ୩୧ ମିଟର ଖୋଳାଗଲାଣି
୩୦ ସୁଦ୍ଧା ସରିଯିବ ଭର୍ଟିକାଲ ଖନନ
ସ୍ଥିତି ସମୀକ୍ଷା କଲେ ପିକେ ମିଶ୍ର
ଉଦ୍ଧାର କାର୍ଯ୍ୟରେ ବର୍ଷା ସାଜିପାରେ ବାଧକ
ଭାଙ୍ଗିରୁଜି ଯାଇଥିବା ୧.୫ ମିଟରର ପାଇପ୍କୁ ବାହାର କରାଯିବା ପରେ ସେନା ଏବଂ କୁଶଳୀ ଶ୍ରମିକଙ୍କ ଜରିଆରେ ହାତରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। କୁଶଳୀ ଶ୍ରମିକମାନେ ହାତରେ ପ୍ଲାଜମା କିମ୍ବା ପାରମ୍ପରିକ ଉପାୟରେ ଖନନ କାର୍ଯ୍ୟ କରିବେ ବୋଲି ବର୍ଡର ରୋର୍ଡ ଅର୍ଗାନାଇଜେସନର ପୂର୍ବତନ ଡିଜି ତଥା ଇଞ୍ଜିନିୟର ଇନ ଚିଫ୍ ଲେପ୍ଟନାଣ୍ଟ ଜେନେରାଲ ହରପାଲ ସିଂହ କହିଛନ୍ତି। ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଅନ୍ୟପଟେ ପାଣିପାଗ ବିଭାଗ ଉତ୍ତରକାଶୀରେ ବର୍ଷା ସଂପର୍କରେ ୟେଲୋ ଆଲର୍ଟ ଜାରି କରିଛି। ବର୍ଷା, ଘଡ଼ଘଡ଼ି, ବରଫ ଝଡ଼ ଆଦି ହେଲେ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିପାରେ। ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ପିକେ ମିଶ୍ର, ଗୃହ ସଚିବ ଅଜୟ ଭଲ୍ଲା, ଉତ୍ତରାଖଣ୍ଡ ମୁଖ୍ୟ ସଚିବ ଏସଏସ ସାନ୍ଧୁ ପ୍ରମୁଖ ପହଞ୍ଚିଛନ୍ତି। ଘଟଣାସ୍ଥଳର ସ୍ଥିତି ସଂପର୍କରେ ପ୍ରତିନିଧି ମଣ୍ଡଳୀ ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ମିଶ୍ର ଫସିଥିବା ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ କଥା ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାହାଡ଼ର ଉପର ଭାଗରୁ ଭର୍ଟିକାଲ ଡ୍ରିଲିଂରେ ଭଲ ଅଗ୍ରଗତି ହୋଇଛି। ପ୍ରାୟ ୩୬ ମିଟର ଖନନ ହୋଇସାରିଛି। ରବିବାର ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଟନେଲ ପର୍ଯ୍ୟନ୍ତ ଏହି ରାସ୍ତାରେ ୧.୨ ମିଟର ବ୍ୟାସର ପାଇପ୍ ପଡ଼ିବ।
ସେହିଭଳି ଦିଲ୍ଲୀ ଓ ଅହମଦାବାଦରେ ସମାନ ଧରଣର କାର୍ଯ୍ୟରେ ଅଭିଜ୍ଞତା ଥିବା ରୢାଟ୍ ମାଇନର ବା କୁଶଳୀ ଖନନ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନେ ଗୋଟିଏ ପର୍ଯ୍ୟାୟ ଖନନରେ ଟ୍ରଲି ସାହାଯ୍ୟରେ ୬ରୁ ୭ କେଜି କଟାଅଂଶ ବାହାର କରୁଛନ୍ତି। ଅକ୍ସିଜେନ ମାସ୍କ, ଆଖି ସୁରକ୍ଷା ପାଇଁ ଚଷମା, ବାୟୁ ଚଳାଚଳ ପାଇଁ ବ୍ଲୋୟର ଆଦି ସାଥିରେ ନେଇ ସେମାନେ ଏହି କାର୍ଯ୍ୟ କରୁଛନ୍ତି। ଏନଡିଏମଏ ସଦସ୍ୟ ଲେପ୍ଟନାଣ୍ଟ ଜେନେରାଲ (ରିଟାୟାର୍ଡ) ସୟେଦ ଅତା ହସନେନ୍ କହିଛନ୍ତି ୬ଟି ଯାକ ଉଦ୍ଧାର ଯୋଜନା ମଧ୍ୟରେ ସମନ୍ବୟ ରଖାଯାଉଛି। ସିଲ୍କିୟାରା ପଟୁ ହରାଇଜଣ୍ଟାଲ ଡ୍ରିଲିଂରେ ପ୍ରତିବନ୍ଧକ ସୃଷ୍ଟି ହେବାରୁ ଭର୍ଟିକାଲ ଡ୍ରିଲିଂ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡର ଏମଡି ମହମ୍ମଦ ଅହମଦ କହିଛନ୍ତି ୩୬ ମିଟରର ଭର୍ଟିକାଲ ଡ୍ରିଲିଂ ବା ଖନନ ହେଲାଣି। ଉଦ୍ଧାର ପାଇଁ ୮୬ ମିଟର ପର୍ଯ୍ୟନ୍ତ ଖନନ କରିବାକୁ ପଡ଼ିବ। ଯଦି ସବୁ ଠିକ୍ ରହେ ତାହେଲେ ନଭେମ୍ବର ୩୦ ସୁଦ୍ଧା ଡ୍ରିଲିଂ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।