ଉତ୍ତରକାଶୀ: ଉତ୍ତରାଖଣ୍ଡର ସୁଡ଼ଙ୍ଗ ଭିତରେ ୪୧ଜଣ ଶ୍ରମିକ ଫସି ରହିଛନ୍ତି। ଗତ ସୋମବାର ତାଙ୍କ ନିକଟକୁ ୬ ଇଞ୍ଚ ଚଉଡ଼ାର ଏକ ପାଇପ୍ ପହଞ୍ଚା ଯାଇଥିଲା। ଏହି ପାଇପ ମାଧ୍ୟମରେ ବହୁ ପରିମାଣର ଖାଦ୍ୟ ଶ୍ରମିକଙ୍କ ନିକଟକୁ ପଠାଯାଇଥିଲା ଓ ୱାକି ଟକି ମାଧ୍ୟମରେ ସେମାନଙ୍କ ସହ ଆଲୋଚନା ମଧ୍ୟ କରାଯାଇଥିଲା ।
ଗତ ୧୦ଦିନ ହେବ ସୁଡ଼ଙ୍ଗ ଭିତରେ ଫସି ରହି ଶ୍ରମିକମାନେ ଦିନ କାଟୁଛନ୍ତି। ନିଜକୁ ଶାରୀରିକ ଓ ମାନସିକସ୍ଥରରେ ଦୃଢ଼ ରଖିବା ପାଇଁ ଶ୍ରମିକମାନେ ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି। ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ପ୍ରତିଦିନ ଚାଲୁଛନ୍ତି, ଯୋଗ କରୁଛନ୍ତି ଓ ନିଜଲୋକଙ୍କ ସହ କଥା ହୋଇ ମନକୁ ବୁଝାଇ ନିଜକୁ ଜୀବିତ ରଖିଛନ୍ତି।
ସରକାରଙ୍କ ପକ୍ଷରୁ ନିୟୋଜିତ ହୋଇଥିବା ଡାକ୍ତର ଅଭିଷେକ ଶର୍ମା କହିଛନ୍ତି, ‘ଆମେ କ୍ରମାଗତ ଭାବେ ୪୧ଜଣ ଶ୍ରମିକଙ୍କ ସହିତ ଯୋଗାଯୋଗ ରଖିଛୁ। ସେମାନଙ୍କୁ ପ୍ରତିଦିନ ଚାଲିବା, କିଛି ସମୟ ଯୋଗ କରିବାକୁ କହିଛୁ। ଏଥିସହିତ ଶ୍ରମିକଙ୍କୁ ଦୃଢ଼ଆତ୍ମବିଶ୍ବାସ ରଖିବାକୁ ବି ପରାମର୍ଶ ଦେଇ କହିଛୁ କି, ‘କିଛି ହେବ ନାହିଁ। ଆପଣମାନେ ନିଶ୍ଚିୟ ସୁରକ୍ଷିତ ଭାବେ ଉଦ୍ଧାର ହେବେ । ଆଉ ନିଜ ପରିବାର ପାଖକୁ ଫେରିଯିବେ।’
ଆଜି ପ୍ରଥମ ଥର ପାଇଁ ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଫସି ରହିଥିବା ଶ୍ରମିକମାନଙ୍କୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ଦେଶବାସୀ ଶ୍ରମିକମାନେ ଯଥାଶୀଘ୍ର ସୁଡ଼ଙ୍ଗ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇ ଯାଆନ୍ତୁ ସେନେଇ ପ୍ରତିଦିନ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।