ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲ୍କିୟାରା ସୁଡଙ୍ଗ (ଟନେଲ)ରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଥିବା ଅପରେସନ୍‌ ଗୁରୁବାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଉ କିଛି ଘଣ୍ଟା ମଧ୍ୟରେ, ଅତିବେଶୀରେ ଆସନ୍ତାକାଲି ସକାଳ ସୁଦ୍ଧା ସେମାନଙ୍କୁ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗ ମଧ୍ୟରୁ ବାହାରକୁ ଆଣିବାରେ ସଫଳତା ମିଳିପାରେ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) କହିଛନ୍ତି।

Advertisment

ଏନଡିଏମଏ ସଦସ୍ୟ ଲେଫ୍‌ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଆତା ହସନେନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହା ଯୁଦ୍ଧ ଲଢ଼ିବା ପରି ହୋଇଥିବାରୁ ଉଦ୍ଧାର କାର୍ଯ୍ୟର ସମୟସୀମା ବିଷୟରେ ନିର୍ଦ୍ଦିଷ୍ଟ ଭାବେ ଅନୁମାନ କରିବା ଠିକ୍‌ ହେବ ନାହିଁ।

ସେପଟେ ଯେଉଁ ସ୍ଥାନରେ ସୁଡ଼ଙ୍ଗ ରହିଛି ସେଠାରେ ଦେବତାଙ୍କ ବିଶେଷ ଆଶୀର୍ବାଦ ରହିଛି ବୋଲି ଦାବି କରି ସ୍ଥାନୀୟ ଲୋକେ ଉଦ୍ଧାର ସ୍ଥଳରେ ବାବା ବୌଖନାଗଙ୍କ ଏକ ଅସ୍ଥାୟୀ ମନ୍ଦିର ସ୍ଥାପନ କରିଛନ୍ତି। ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସେମାନେ ସେଠାରେ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟରେ ଅଧିକ ବାଧା ସୃଷ୍ଟି ହେଉଥିବା ଜାଣିବାକୁ ମିଳିଛି। ଏନଡିଏମଏ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ କରାଯାଉଥିବା ଅନୁପ୍ରସ୍ତ (ହରିଜୋଣ୍ଟାଲ) ଡ୍ରିଲିଂରେ ଆହୁରି ୩ରୁ ୪ଟି ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଏପଟେ ସୁଡ଼ଙ୍ଗ ସ୍ଥଳରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଗୋଟିଏ ଲେଖାଏଁ ୪୧ଟି ଆମ୍ବୁଲାନ୍‌ସ ରହିଥିବା ବେଳେ ଆବଶ୍ୟକ ସ୍ଥଳେ ଗୁରୁତର ଅବସ୍ଥାରେ ଥିବା ଶ୍ରମିକଙ୍କୁ ଏୟାରଲିଫ୍‌ଟ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡ ଚାରିଧାମ ମାର୍ଗରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୪୧ ଜଣ ଶ୍ରମିକ ଗତ ୧୧ ଦିନ ଧରି ସୁଡ଼ଙ୍ଗ ମଧ୍ୟରେ ଫସି ରହିଛନ୍ତି।