ଉତ୍ତରକାଶୀ: ସିଲ୍କିୟାରା ସୁଡ଼ଙ୍ଗ (ଟନେଲ୍) ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ୧୨ ଦିନ ଧରି ବୋର୍ଡ ଗେମ୍ ଏବଂ ତାସ୍ ଖେଳିବା ପାଇଁ ଉଦ୍ଧାରକାରୀ ମାନେ ଯୋଜନା କରି ଖେଳ ସାମଗ୍ରୀ ଯୋଗାଇ ଦେଇଛନ୍ତି।
ଗୁରୁବାର ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗର ଭଗ୍ନାବଶେଷ ଭିତରୁ ଖନନ ମେସିନ୍ ଥିବା ପ୍ଲାଟଫର୍ମରେ ଫାଟ ଦେଖାଦେବା ପରେ ପୁଣି ଥରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥିଲା। ଉଦ୍ଧାର ସ୍ଥଳର ଅନ୍ୟତମ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ରୋହିତ ଗୋଣ୍ଡୱାଲ ଗଣମାଧ୍ୟମକୁ କହିଛନ୍ତି, ‘ଆମେ ଲୁଡୋ ଏବଂ ଚେସ୍ ବୋର୍ଡ ଏବଂ ତାସ୍ ଖେଳିବା ପାଇଁ ଫସି ଯାଇଥିବା ଶ୍ରମିକମାନଙ୍କୁ ପରାମର୍ଶ ଦେବା ସହ ଏଥିନିମନ୍ତେ ବ୍ୟବସ୍ଥା ମଧ୍ୟ କରୁଛୁ। ଯାହା ଦ୍ୱାରା ସେମାନେ (ଫସି ରହିଥିବା ଶ୍ରମିକମାନେ) ମାନସିକ ଚାପରୁ ମୁକ୍ତି ପାଇପାରିବେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଅପରେସନରେ ବିଳମ୍ବ ହେଉଛି ଏବଂ ଏଥିପାଇଁ ଆଉ କିଛି ସମୟ ଲାଗିବ’ ବୋଲି ସେ କହିଛନ୍ତି।
ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକମାନେ ସୁସ୍ଥ ଅଛନ୍ତି। କିନ୍ତୁ ସେମାନେ ସମସ୍ତେ ମାନସିକ ସ୍ତରରେ ଫିଟ୍ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଡାକ୍ତର ଗୋଣ୍ଡୱାଲ କହିଛନ୍ତି, ‘ସେମାନେ ଆମକୁ କହିଥିଲେ ଯେ ସେମାନେ ‘ଚୋର-ପୁଲିସ’ ଖେଳୁଛନ୍ତି ଏବଂ ପ୍ରତିଦିନ ଯୋଗ ଓ ବ୍ୟାୟାମ ମଧ୍ୟ କରୁଛନ୍ତି।
ଫସି ରହିଥିବା ଶ୍ରମିକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଅନ୍ୟ ଜଣେ ଡାକ୍ତରୀ ବିଶେଷଜ୍ଞ କହିଛନ୍ତି ଯେ ସେମାନଙ୍କ ମନୋବଳ ଉଚ୍ଚ ରହିବା ଆବଶ୍ୟକ ଏବଂ ସେମାନେ ଉତ୍ସାହିତ ରହିବା ଆବଶ୍ୟକ। ଡାକ୍ତରଙ୍କ ଏକ ଦଳ ପ୍ରତିଦିନ ଶ୍ରମିକମାନଙ୍କ ସହ କଥା ବାର୍ତ୍ତା କରି ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ଥିତି ବିଷୟରେ ପଚାରି ବୁଝୁଛନ୍ତି।
ବୁଧବାର ବିଳମ୍ବିତ ରାତିରେ ଅଗର ମେସିନ୍ ବାଟରେ ଆସିଥିବା ଏକ ଲୁହା ଗର୍ଡରକୁ କାଟିବାରେ ୬ଘଣ୍ଟା ବିଳମ୍ବ ହେବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାର କିଛି ଘଣ୍ଟା ପରେ ସଦ୍ୟତମ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡର ଚାରିଧାମ ମାର୍ଗରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ଗତ ନଭେମ୍ବର ୧୨ ତାରିଖରୁ ଏକାଧିକ ଏଜେନ୍ସି ଉଦ୍ଧାର ଅଭିଯାନ ଆରମ୍ଭ କରିବା ପରେ ତୃତୀୟ ଥର ପାଇଁ ଏହି ଉଦ୍ଧାର କାର୍ଯ୍ୟ ସାମୟିକ ଭାବେ ବନ୍ଦ ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାରକାରୀମାନେ ୪୮ ମିଟର ପର୍ଯ୍ୟନ୍ତ ଭଗ୍ନାବଶେଷ ଖୋଳିବାରେ ସଫଳ ହୋଇଛନ୍ତି। ତେବେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ୧୦ ମିଟର ବାକି ରହିଛି।
ଉତ୍ତରକାଶୀ ଓ ଡେରାଡୁନର ଜେନେରାଲ ଫିଜିସିଆନ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ସମେତ ଏକ ଡଜନ ଡାକ୍ତରଙ୍କ ଟିମ୍ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି।