ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଧସି ପଡ଼ିଥିବା ନିର୍ମାଣାଧୀନ ସୁଡ଼ଙ୍ଗ-ପଥରେ ୧୧ ଦିନ ହେବ ୪୧ଜଣ ଶ୍ରମିକ ଫସି ରହିଛନ୍ତି। ଏହି ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଜୋର‌‌ସୋରରେ କାମ ଚାଲିଛି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଆଜି ଏକ ବଡ଼ ସଫଳତା ମିଳିଛି।

Advertisment

ଯେଉଁ ଚଟାଣ ହେତୁ ଉଦ୍ଧାରକ‌ାର୍ଯ୍ୟରେ ବାଧା ଉପୁଜୁଥିଲା ଉଦ୍ଧାରକାରୀ ଦଳ ତାହାକୁ ଫଟାଇବାରେ ସଫଳ ହୋଇଯାଇଛନ୍ତି।  ଏଯାବତ ଧ୍ବଂସସ୍ତୂପର ୩୬ମିଟର ପର୍ଯ୍ୟନ୍ତ ଡ୍ରିଲିଂ ହୋଇସାରିଛି। ଏହାପୂର୍ବରୁ ୨୪ମିଟର ପର୍ଯ୍ୟନ୍ତ ୯୦୦ଏମଏମ ପ‌ାଇବା ପ୍ରବେଶ କରାଯାଇଥିଲା। ଏହାପରେ ୮୦୦ ଏମଏମ ପ‌ାଇବ ବ୍ୟବହାରକରାଯାଇଛି। ତେବେ ଚାରିଇଞ୍ଚର କମ୍ପ୍ରେସର ଟ୍ୟୁବ ଜରିଆରେ ସୁଡ଼ଙ୍ଗ ଭିତରେ ଥିବା ଶ୍ରମିକଙ୍କ ସହିତ ତାଙ୍କ ସମ୍ପର୍କୀୟ ଓ ଡାକ୍ତରମାନେ କଥା ହୋଇ ପାରୁଛନ୍ତି।

ବିହାରର ବାଙ୍କାରୁ ଆସିଥିବା ସୁନୀତା ହେମ୍ବ୍ରମ କହିଛନ୍ତି, ‘ମୋର ଭିଣୋଇ ପ୍ରଦୀପ କିସ୍କୁ ସୁଡ଼ଙ୍ଗ ଭିତ‌ରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ। ମୁଁ ଆଜି ସକାଳେ ମୋ ଭିଣୋଇଙ୍କ ସହ କଥା ହୋଇଥିଲି। ପ୍ରଥମେ ତାଙ୍କ କଥା ସ୍ପଷ୍ଟ ଶୁଣାଯାଉ ନଥିଲା। ଏବେ କିନ୍ତୁ ମୁଁ ଭିଣୋଇଙ୍କ ସହ ସ୍ପଷ୍ଟ ଭାବେ କଥା ହୋଇପାରିଥିଲି। କଥା ହେବା ସମୟରେ ସେ କହିଥିଲେ, ‘ବ୍ୟସ୍ତ ହୁଅ ନାହିଁ ମୁଁ ଠିକ ଅଛି। ଚିନ୍ତା ନକରି ଘରୁ ଫେରିଯାଅ।’  ଏଭଳି  ଭାବେ ଅନ୍ୟ ଶ୍ରମିକମାନେ ତାଙ୍କ ପରିବାରଲୋକଙ୍କ ସହ କଥା ହୋଇ ବ୍ୟସ୍ତ ନହେବା ପାଇଁ କହିଥିଲେ।

ଫସି ରହିଥିବା ୪୧ଜଣ ଶ୍ରମିକମାନଙ୍କ ପାଇଁ ଗତମଙ୍ଗଳବାର ରାତିରେ ୬ ଇଞ୍ଚିଆ ପାଇପ୍‌ ବାଟେ ପ୍ରଥମ କରି ସ୍ବାସ୍ଥ୍ୟକର ରନ୍ଧା ଖାଦ୍ୟ ଯେମିତି କି  ପଲଉ, ଲହୁଣି-ରୁଟି ଓ ମଟର ପନୀର ଆଦି ପରିବେଷଣ କରାଯାଇଛି। ସେଠାରେ ଫସି ରହିବାର ୯ ଦିନ ପରେ ପ୍ରଥମ କରି ସେମାନଙ୍କୁ ଉପଯୁକ୍ତ ଭୋଜନ ମିଳିଛି।

ଗତ ସୋମବାର ଦିନ ସୁଡ଼ଙ୍ଗ ମଧ୍ୟରେ ପଶା ଯାଇଥିବା ଓ ମଙ୍ଗଳବାର ଦିନ ସକାଳେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ଉକ୍ତ ୬ ଇଞ୍ଚିଆ ପାଇପ୍‌ ବାଟେ ଏହି ରନ୍ଧା ଖାଦ୍ୟ ପଠାଯାଇଛି।