ଡେରାଡୁନ୍: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗତ ନଭେମ୍ବର ୧୨ ତାରିଖରେ ନିର୍ମାଣାଧୀନ ସିଲ୍କିୟାରା ଟନେଲ୍ ଭିତରେ ଫସି ରହିଥିବା ଶ୍ରମିକମାନେ ରେଡିଓ ଜରିଆରେ ନିଜ ପରିବାର ସହ କଥା ହୋଇଛନ୍ତି । ଏହାକୁ ନେଇ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଛି ।
ସୁଡ଼ଙ୍ଗରେ ଫସି ରହିଥିବା ୨୫ ବର୍ଷୀୟ ନିର୍ମାଣ ଶ୍ରମିକ ପୁଷ୍କର ତାଙ୍କ ଭାଇ ବିକ୍ରମ ସିଂହଙ୍କୁ ଅନୁରୋଧ କରିଥିଲେ ଯେ ସେ ସେଠାରେ ଫସି ରହିଛନ୍ତି ବୋଲି ତାଙ୍କ ମା'ଙ୍କୁ ନ କୁହନ୍ତୁ।
ରେଡିଓରେ ମାଧ୍ୟମରେ ପୁଷ୍କର ବିକ୍ରମଙ୍କୁ କହିଥିଲେ, "ମୋ ମା'ଙ୍କୁ କୁହନ୍ତୁ ନାହିଁ ଯେ ମୁଁ ଏଠାରେ ଫସି ରହିଥିବା ଲୋକଙ୍କ ମଧ୍ୟରୁ ଜଣେ । ସତ କହିଲେ ମା' ଚିନ୍ତିତ ହୋଇଯିବ।
ଟନେଲ ବାହାରେ ଶ୍ରମିକଙ୍କ ପରିବାର ଲୋକେ ଅପେକ୍ଷା କରି ସେମାନଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି। ସେପଟେ ଉତ୍ତରାଖଣ୍ଡ ସରକାର ପରିବାର ସଦସ୍ୟଙ୍କୁ ରହିବା ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ପାଇପ୍ ଯୋଗେ ଚଣା, କ୍ଷୀର ଓ ବାଦାମ ଭଳି ଖାଦ୍ୟ ସାମଗ୍ରୀ ପଠାଯାଉଛି।
ଶୁକ୍ରବାର ଡ୍ରିଲିଂ ମେସିନ୍କୁ ପୁଣି ଆରମ୍ଭ କରିବାକୁ ଉଦ୍ୟମ କରାଯାଉଥିବାବେଳେ ସେଥିରେ କିଛି ତ୍ରୁଟି ଦେଖାଯାଇଥିଲା । ଏହି କାରଣରୁ ଖନନ ବନ୍ଦ ରହିଥିଲା । ଆଜି ନୂଆ ମେସିନ ଆସିବା ପରେ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।