ଉତ୍ତରକାଶୀ: ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣକ ଶମ୍ରିକ  ଉଦ୍ଧାର ପରେ ନୂଆ ଜୀବନ ପାଇଛନ୍ତି। ସେମାନେ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ବିଭିନ୍ନ ସ୍ଥାନରେ ସାକ୍ଷାତ୍‌କା‌ର ଦେଉଥିବାର ଦେଖିବାକୁ ମିଳୁଛି। ଏତେ ଦିନ ଧରି ଅନ୍ଧାରୁଆ ସୁଡ଼ଙ୍ଗ ଭିତରେ କିପରି ଥିଲେ, କ’ଣ କରୁଥିଲେ, କିଭଳି ସମୟ ବିତାଉଥିଲେ ସେ ସମସ୍ତ କଥା ଉଦ୍ଧାର ପରେ ବର୍ଣ୍ଣନା କରିଛନ୍ତି।

Advertisment

ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଦୁଇଜଣ  ଗବର ସିଂ ନେଗି ଏବଂ ସବା ଅହମ୍ମଦ ନାମରେ ଦୁଇ ଜଣ ଥିଲେ। ସେହି ଦୁଇ ଜଣ ସମସ୍ତ ଶ୍ରମିକଙ୍କ ମଧ୍ୟରେ ସବୁଠାରୁ ବୟସ୍କ ଥିଲେ। ଏହି ଘଟଣାରେ ଫସି ରହିଥିବା ଶ୍ରମିକମାନଙ୍କ ଭିତରେ ସକାରାତ୍ମକ ଭାବନା ସୃଷ୍ଟି ରଖିବାରେ ସେ ଦୁହେଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

‘ଟାଇମ୍ସ ଅଫ୍ ଇଣ୍ଡିଆ’ର ଗଣମାଧ୍ୟମ ପ୍ରତିନିଧୀ ସୁଡ଼ଙ୍ଗ ଭିତରର ଅନ୍ଧକାରରେ ଆଶାର ଆଲୋକ ଜାଳିଥିବା ସେହି ଦୁଇ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ସେହି ବାର୍ତ୍ତାଳପରୁ କିଛିଟା ତଳେ ଉଲ୍ଲେଖ କରାଯାଇଛି।

ଗବର ସିଂ ନେଗି: ପ୍ରାରମ୍ଭରେ ମୁଁ ଚିନ୍ତିତ ଥିଲି କିନ୍ତୁ ସେହି ଅନୁଭବ ହୁଏତ ଗୋଟିଏ ଦିନ ପର୍ଯ୍ୟନ୍ତ ରହିଲା। ଯେତେବେଳେ କର୍ତ୍ତୃପକ୍ଷ ଆମ ପାଖରେ ପହଞ୍ଚିଲେ ଏବଂ ଆମର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲା, ମୋର ବିଶ୍ବାସ ଜନ୍ମିଲା ଯେ ଆମେ ନିଶ୍ଚୟ ବାହାରକୁ ବାହାରିବୁ। ମନରେ ଖାଲି ଗୋଟାଏ ପ୍ରଶ୍ନ ଥିଲା ଯେ କେବେ ବାହରିବୁ?

ସବା ଅହମ୍ମଦ: ପ୍ରଥମେ ମୁଁ ଟିକେ ଡରି ଯାଇଥିଲି। ତା’ପରେ ମୁଁ ନିଜକୁ କହିଲି, ଭୟ ଆଗରେ ବିଜୟ ଅଛି। ଏହି ଧାଡ଼ି ମୋତେ ଶକ୍ତି ପ୍ରଦାନ କଲା ଏବଂ ଅନ୍ୟ ଲୋକଙ୍କୁ ଉତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କଲା।
ଗାବର ସିଂ ନେଗି: ୨୦୧୧ ମସିହାରେ ସିକ୍କିମରେ ଏକ ଭୂସ୍ଖଳନରେ ମୁଁ ଅନେକ ଦିନ ଧରି ଫସି ରହିଥିଲି। ତେଣୁ ମୋର ଏହି ବିଷୟରେ ଏକ ଯଥାର୍ଥ ଧାରଣା ଥିଲା। ଏପରି ଏକ ଜଟିଳ ପରିସ୍ଥିତିର ଅନୁଭବ ମୋର ଅତି ପୁରୁଣା। ଏଭଳି ସ୍ଥିତି‌ରେ ପରିଣାମ ବିଷୟରେ ନୁହେଁ ବରଂ ସକରାତ୍ମକ ଜିନିଷ ଉପରେ ଧ୍ୟାନ ଦେବା ଉଚିତ। ପ୍ରଥମେ ଶ୍ରମିକମାନେ ନିରାଶ ହେବାକୁ ଲାଗିଲେ। ମୁଁ ଜାଣିଲି ଯେ ଆମକୁ ହିଁ ପଦକ୍ଷେପ ନେବା ଆବଶ୍ୟକ। ସେଥିପାଇଁ ମୁଁ ପ୍ରଥମେ ଟନେଲ ଭିତରେ ଥିବା ପାଣି ପମ୍ପକୁ ଅନ୍ ଏବଂ ଅଫ୍ କରି ଆମେ ଜୀବିତ ଅଛୁ ବୋଲି ବାହାରେ ଥିବା ଶ୍ରମିକମାନଙ୍କୁ ସଙ୍କେତ ଦେଇଥିଲି।

ସବା ଅହମ୍ମଦ: ପିଲାଦିନେ ଆମେ ଚୋର-ପୁଲିସ୍‌, ରାଜା-ମନ୍ତ୍ରୀ ଭଳି ଖେଳ ଖେଳୁଥିଲୁ । ଏହି ଖେଳ ସବୁ ସୁଡ଼ଙ୍ଗରେ ରହିବା ୧୭ ଦିନ ଆମ କାମରେ ଆସିଲା। ଏହା ଆମ ମନକୁ ବ୍ୟସ୍ତ ରଖିବାରେ ସାହାଯ୍ୟ କଲା। କିଛି ଦିନ ଆମେ ସୁଡ଼ଙ୍ଗ ଭିତରେ କ୍ରିକେଟ୍ ଖେଳୁଥିଲୁ। ମନକୁ ହାଲୁକା ରଖିବା ପାଇଁ, ଆମେ ଚପସପ କରୁଥିଲୁ ଏବଂ ବେଳେବେଳେ ଥଟ୍ଟାମଜା ମଧ୍ୟ କରୁଥିଲୁ।
ଗାବର ସିଂ ନେଗି: ମୋ ପରିବାର ସଦସ୍ୟମାନେ ଈଶ୍ବରଙ୍କ ଉପରେ ବିଶ୍ୱାସ କରୁଥିଲେ ଏବଂ ସେମାନଙ୍କର ପ୍ରାର୍ଥନା ଏବଂ ସମସ୍ତଙ୍କ ମିଳିତ ପ୍ରୟାସରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲୁ।
ସବା ଅହମ୍ମଦ: ମୋର ଛୋଟ ପିଲା ଅଛନ୍ତି, ଯେଉଁମାନେ କି ପରିସ୍ଥିତିର ଗମ୍ଭୀରତାକୁ ବୁଝନ୍ତି ନାହିଁ। ତାଙ୍କୁ କୁହାଯାଇଥିଲା ଯେ ମୋ ମୋବାଇଲ୍ ଫୋନ୍ ଭାଙ୍ଗିଯାଇଛି। ପରବର୍ତ୍ତୀ ସମୟରେ ମୁଁ ସେମାନଙ୍କ ସହିତ ପ୍ରତି କିଛି ନା କିଛି କଥା ହେଉଥିଲି।

ପ୍ରଶ୍ନ: ଏହି ଅସୁବିଧାର ସମ୍ମୁଖୀନ ହେବା ପରେ, ଆପଣ ପୁନର୍ବାର ସୁଡ଼ଙ୍ଗ କାର୍ଯ୍ୟକୁ ଫେରିବାକୁ ଯୋଜନା କରୁଛନ୍ତି କି? ନା ଅନ୍ୟ ସ୍ଥାନରେ ଚାକିରି କରିବାକୁ ଚିନ୍ତା କରୁଛନ୍ତ?
ଗାବର ସିଂ ନେଗି: ମୋତେ ମୋ ପରିବାର ଚଳାଇବାକୁ ପଡିବ ଏବଂ ଏହି କାମ ମୁଁ ଏତେ ବର୍ଷ ଧରି କରିଆସୁଛି। ତେଣୁ ମୁଁ ଏହାକୁ ଛାଡିବି ନାହିଁ। ଏହି ଘଟଣା ମୋତେ ଡରାଇ ନାହିଁ। ମୁଁ ଶୀଘ୍ର ସାଇଟକୁ ଫେରିବି।
ସବା ଅହମ୍ମଦ: ସୁଡ଼ଙ୍ଗରେ ଫସିଯିବା ପରେ ଏହି କାମକୁ ଅଧାରୁ ନଛାଡ଼ିବାକୁ ମୁଁ ଆହୁରି ଦୃଢ଼ ନିଷ୍ପତ୍ତି ନେଇଛି। ଯାହା ବି ହେଇଯାଉ, ମୁଁ ସୁଡ଼ଙ୍ଗ କାମ ପୂରା କରିବି।