ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଅତଡ଼ା ଧସି ରାସ୍ତା ଅବରୋଧ

ନୂଆଦିଲ୍ଲୀ: ଦେଶରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବେଶ୍‌ ସକି୍ରୟ ହୋଇଉଠିଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ସୂଚନା ମିଳିଛି। ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଲାଗିରହିଛି। ରାଜ୍ୟର ପିଥୋରାଗଡ଼ ଜିଲ୍ଲା ଅନ୍ତର୍ଗତ ମୁନସ୍ୟାରୀଠାରେ ବର୍ଷାବିତ୍ପାତ ଯୋଗୁ ଅନେକ କ୍ଷୟକ୍ଷତି ଘଟିଛି। ଅନେକ ସ୍ଥାନରେ ମାଟି ଧସି ଜାତୀୟ ରାଜପଥ ଅବରୋଧ ହୋଇଯିବାରୁ ଜୀବନଯାତ୍ରା ବ୍ୟାହତ ହୋଇଛି। ତେବେ ପାଣିପାଗ ବିଭାଗ ଦର୍ଶାଇଛି ଯେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଜମ୍ମୁ କଶ୍ମୀର, ତାମିଲନାଡୁ, ଆସାମ ଓ ଗୁଜରାଟ ଭଳି ରାଜ୍ୟରେ ମଧ୍ୟ ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଇଛି। କିଛିଦିନ ଧରି ଗାଏବ ହୋଇଯାଇଥିବା ମୌସୁମୀ ଏବେ ସମଗ୍ର ଦେଶରେ ସକ୍ରିୟ ହୋଇଛି। ବିଶେଷକରି ଉତ୍ତରାଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ସିକିମ୍‌, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୋଆ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ମଙ୍ଗଳବାରଠାରୁ ଶୁକ୍ରବାର ଯାଏ ଲଗାଣ ବର୍ଷା ହେବା ସମ୍ଭାବନା ରହିଛି ଏବଂ ଏ ନେଇ ସତର୍କ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ଆସନ୍ତା ଗୁରୁବାର ଓଡ଼ିଶା ସମେତ ଛତିଶଗଡ଼, ଗୁଜରାଟ, କେନ୍ଦ୍ର ମହାରାଷ୍ଟ୍ର, ପୂର୍ବ ଆନ୍ଧ୍ର ପ୍ରଦେଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ରିପୋର୍ଟରେ ଦର୍ଶାଯାଇଛି। ଉଲ୍ଲେଖଥାଉ କି ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୩ ଦିନ ପୂର୍ବରୁ ଅର୍ଥାତ୍‌ ମେ ୨୯ରେ କେରଳ ଛୁଇଁଥିଲା। କିନ୍ତୁ ଏହାର କିଛିଦିନ ପରେ ଏହା ଗାଏବ ହୋଇଯାଇଥିଲା।

ସମ୍ବନ୍ଧିତ ଖବର