ମନିଲା: ଫିଲିଫାଇନ୍ସର ରାଷ୍ଟ୍ରପତି ରାଁଡ୍ରିଗୋ ଦୁତର୍ତି ନିଜର ବୟାନ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। କିନ୍ତୁ ଏହି ଥରକ ସେ ଏକ ଅଦ୍ଭୁତ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ରାଷ୍ଟ୍ରପତି ରାଁଡ୍ରିଗୋ ଦୁତର୍ତିଙ୍କ ନିର୍ଦ୍ଦେଶରେ ଫିଲିଫାଇନ୍ସର କାଗାୟନ୍ ପ୍ରାନ୍ତରେ ୭୬ଟି ଲଗଜୁରି ଗାଡ଼ି ଓ ମୋଟରସାଇକେଲ ଉପରେ ବୁଲଡୋଜର ଚଢ଼େଇ ଦିଆଯାଇଛି। ଏହି ଗାଡ଼ିଗୁଡ଼ିକର ମୂଲ୍ୟ ୫୫ ଲକ୍ଷ ଡଲାର ଅର୍ଥାତ୍ ପାଖାପାଖି ୩୭.୭୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ଏହି ଗାଡ଼ି ନଷ୍ଟ କରାଯାଉଥିଲା ରାଷ୍ଟ୍ରପତି ନିଜେ ସେଠାରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଏହି ନିର୍ଦ୍ଦେଶକୁ ଭ୍ରଷ୍ଟାଚାର ଓ ଅପରାଧିକ ଗତିବିଧି ବିରୋଧରେ ଦୃଢ଼ ନୀତି ଆଧାରରେ ଦେଖାଯାଇଛି । ଏହି ଗାଡ଼ିରେ ପାର୍ସି, ଲମ୍ବୋର୍ଗିନି, ମର୍ସିଡିଜ-ବେଞ୍ଜ, ହାର୍ଲି ଡେବିଡସନ୍ ଭଳି ମହଙ୍ଗା କମ୍ପାନିର ଗାଡ଼ି ସାମିଲ ଅଛି । ଏହା ଦେଶକୁ ଚୋରା ଚାଲାଣ କରି ଅଣାଯାଇଥିବା ବେଳେ ଅଧିକାରୀଙ୍କ ଦ୍ୱାରା ଜବତ କରାଯାଇଥିଲା। ଏଗୁଡ଼ିକ ଫିଲିଫାଇନ୍ସକୁ ବେଆଇନ୍ ଭାବେ ଅଣା ଯାଇଥିବା ୮୦୦ ଗାଡ଼ି ମଧ୍ୟରୁ ୭୬ଟି ଥିଲା।
୨୦୧୬ରେ ରାଷ୍ଟ୍ରପତି ବନିବା ପରେ ଦୁତର୍ତି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଥିଲେ। ଏହା ପ୍ରଥମଥର ନୁହେଁ, ଅାଗରୁ ମଧ୍ୟ ସାର୍ବଜନିନ ଭାବେ ଗାଡ଼ି ଉପରେ ବୁଲଡୋଜର ଚଳାଯାଇଛି। ଚଳିତବର୍ଷ ଫେବ୍ରୁଆରିରେ ଦୁତର୍ତିଙ୍କ ଆଦେଶରେ ୩୦ହଜାର ଲଗଜୁରି ଗାଡ଼ିକୁ ନଷ୍ଟ କରାଯାଇଥିଲା।
Pres. Duterte witnesses the condemnation and public destruction of contraband luxury vehicles and motorbikes at Port Irene in Sta. Ana, Cagayan on July 30, 2018. #TatakNgPagbabago pic.twitter.com/QIDv4Eh2q0
— Presidential Comm (@pcoogov) July 31, 2018