ଭାଇରାଲ୍‌ ହେଉଛି ସୁଷମା ସ୍ୱରାଜଙ୍କ ପାଇଁ ଉଜ୍‌ବେକ୍‌ ମହିଳା ଗାଇଥିବା ‘ଇଚକ୍‌ ଦାନା’ ଗୀତ

ନୂଆଦିଲ୍ଲୀ: ସମ୍ପ୍ରତି ତିନିଟି ଦେଶ ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଉଜ୍‌ବେକିସ୍ତାନ ଯାଇଥିବା ବେଳେ ଜଣେ ସେଠାକାର ଜଣେ ମହିଳାଙ୍କୁ ଭେଟିଥିଲେ। ଉକ୍ତ ମହିଳାଙ୍କ ସହ ତାଙ୍କ ସାକ୍ଷାତ ସମୟର ଭିଡିଓ ଏକ ବିଶେଷ କାରଣରୁ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇ ଚାଲିଛି।

ଉକ୍ତ ଭିଡିଓରେ ଉଜ୍‌ବେକ୍‌ ମହିଳାଜଣକ ଗାଉଛନ୍ତି ହିନ୍ଦୀ ଚଳଚ୍ଚିତ୍ର ‘ଶ୍ରୀ୪୨୦’ର ଜନପ୍ରିୟ ଗୀତ ‘ଇଚକ୍‌ ଦାନା ବିଚକ୍‌ ଦାନା’। ସୁଷମା ମଧ୍ୟ ସେ ମହିଳାଙ୍କୁ କୋଳାଗ୍ରତ କରି ଗୀତଟିକୁ ଉପଭୋଗ କରୁଥିବାର ଦେଖା ଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରଳାୟର ମୁଖପାତ୍ର ରବୀଶ କୁମାର ସେୟାର୍‌ କରିବା ପରେ ଏହି ଭିଡିଓ ଭାଇରାଲ୍‌ ହୋଇଛି।

ଭିଡିଓ ଟୁଇଟ୍‌ କରି ରବୀଶ କହିଛନ୍ତି: ବଲିଉଡ୍‌ ସୀମା ସରହଦ ଜାଣେନି! ସେମିତି ଉଜ୍‌ବେକିସ୍ତାନରେ ରାଜ କପୁର ଓ ନର୍ଗୀସ ଘରେ ଘରେ ପରିଚିତ। ସୁଷମା ସ୍ୱରାଜଙ୍କୁ କ୍ଲାସିକ୍‌ ସିନେମା ‘ଶ୍ରୀ ୪୨୦’ର ଗୀତ ଶୁଣାଉଥିବା ବେଳର ଉଚ୍ଛ୍ୱାସ ପାଇଁ ଏ ଉଜ୍‌ବେକ୍‌ ମହିଳାଙ୍କୁ ପ୍ରଣାମ।

ଗତ କେତେ ଦଶନ୍ଧି ହେବ ଉଜ୍‌ବେକିସ୍ତାନ୍‌ର ବଲିଉଡ୍‌ ସହ ନିବିଡ଼ ସଂଯୋଗ ରହିଛି। ସୋଭିଏତ୍‌ ଦେଶ ପତ୍ତନ ପୂର୍ବରୁ ‘ଶ୍ରୀ ୪୨୦’ ପରି ରାଜ କପୁରଙ୍କ ସିନେମା ସବୁ ସେଠାକାର ଲୋକଙ୍କ ମନୋରଞ୍ଜନ କରି ଆସିଥିଲା।

ଆଜି ଯାଏଁ ମଧ୍ୟ ଉଜ୍‌ବେକିସ୍ତାନ୍‌ ଲୋକେ ବଲିଉଡ୍‌ କହିଲେ ରାଜ୍‌ କପୁରଙ୍କୁ ବୁଝନ୍ତି।

ସମ୍ବନ୍ଧିତ ଖବର