ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦମୋହ ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି (ଆପ)ର ପ୍ରାର୍ଥୀ ତଥା ଟେଲିଭିଜନ ଅଭିନେତ୍ରୀ ଚାହତ ପାଣ୍ଡେ ନିର୍ବାଚନ ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି। ସେ ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଥମରେ ବିଜେପି ପ୍ରାର୍ଥୀ ଜୟନ୍ତ ମ‌ଲେୟା ୩୬ହଜାର ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାର ଟଣ୍ଡନ ଦ୍ବିତୀୟ ସ୍ଥାନରେ ଅଛନ୍ତି।

Advertisment

ଚାହତ ପାଣ୍ଡେ ଚଳିତ ବର୍ଷ ଜୁନ ମାସରେ ରାଜନୀତିରେ ପ୍ରବେଶ କରିଥିଲେ। ଚଳିତ ନିର୍ବାଚନରେ ସେ ଆମ୍ ଆଦମୀ ପାର୍ଟିରୁ ଟିକେଟ ପାଇ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ନିର୍ବାଚନ ମଇଦାନ ତାଙ୍କର ଜାଦୁ ଏତେଟା ଚାଲି ପାରି ନଥିବା ଦେଖିବାକୁ ମିଳୁଛି।

ନିର୍ବାଚନରେ ପ୍ରବେଶକୁ ନେଇ ଚ‌ାହତ କହିଥିଲେ, ‘ମୋ ମା’ ସବୁବେଳେ ଚାହୁଁଥିଲେ ମୁଁ ଜଣେ ରାଜନେତ୍ରୀ ହୁଏ। ମୋର ମଧ୍ୟ ଏଥିରେ ଆଗ୍ରହ ଥିଲା ତେଣୁ ମୁଁ ରାଜନୀତିକୁ ବାଛିଲି। ମୁଁ ଜାଣିଛି ଆଗକୁ ଏକ୍ଷେତ୍ରରେ ଅନେକ ଅସୁବିଧା ଆସିବ, ସେ ସବୁକୁ ମୁଁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି।’

ଚାହତ ପାଣ୍ଡେ ୨୦୧୬ରେ ୧୭ବର୍ଷ ବୟସରେ ‘ପବିତ୍ର ବନ୍ଧନ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ‘ହମାରି ବହୁ ସିଲ୍କ’, ‘ଦୁର୍ଗା ମାତା କି ଛାୟା’ ଏବଂ ‘ନାଥ ଜୱାର ୟା ଜଞ୍ଜିର’ ଭଳି ସୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଦର୍ଶକ ବି ଚାହତଙ୍କୁ ଖୁବ ଭଲ ପାଆନ୍ତି।