ଦେଶରେ ଟିକାକରଣ ୮୦ କୋଟି ଟପିଲା: ୩୫ ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ଟିକାକରଣ ୮୦ କୋଟି ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସୂଚନା ଦେଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ରେକର୍ଡ ୨.୫ ‌କୋଟି ଟିକାକରଣ ହୋଇଥିଲା। ଜାନୁଆରି ୧୬ରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା । ଆଜି ଏହା ୮୦ କୋଟିରେ ପହଞ୍ଚିଛି। ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ବିଶ୍ବ ଇତିହାସରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ।

ଦେଶରେ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୩୫,୬୬୨ ନୂଆ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୨୮୧ ଜଣଙ୍କ ମୃତ୍ୟୁ ହୋଇଛି। ଏଯାବତ୍‌ ୩,୨୬, ୩୨,୨୨୨ ଜଣ ଆରୋଗ୍ୟ ହେଲେଣି ଏବଂ ସକ୍ରିୟ ମାମଲା ୩,୪୦,୬୩୯ ରହିଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ ଆନ୍ଧ୍ରପ୍ରଦେଶରେ ୮୮.୦୧ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ କେରଳ‌ରେ ମୋଟ ସଂକ୍ରମଣ ୬୫.୨୨ ପ୍ରତିଶତ ମାମଲା ଚିହ୍ନଟ ‌ହୋଇଛି। କେରଳରେ ଗତ ୨୪ ଘଣ୍ଟା‌ରେ ୨୩,୨୬୦ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୩,୫୮୬, ତାମିଲନାଡ଼ୁରେ ୧୬୬୯, ମିଜୋରାମରେ ୧୪୭୬ ଏବଂ ଆନ୍ଧ୍ରପ୍ରଦେଶରେ ୧୩୯୩ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୩,୭୯୮ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୬୫ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ୬୩.୧ ପ୍ରତିଶତ ବୟସ୍କ ଲୋକ ପ୍ରଥମ ଡୋଜ୍‌ ନେଇଥିବାବେଳେ ୨୦.୯ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି।

ସମ୍ବନ୍ଧିତ ଖବର