ନୂଆଦିଲ୍ଲୀ: ଦେଶରେ ସମସ୍ତଙ୍କୁ ଟିକା ଦେବାକୁ ଅନମତି ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିଲା। ଆଜି ଏହା ଉପରେ ସ୍ପଷ୍ଟିକରଣ ଦେଇ କେନ୍ଦ୍ର କହିଛି ଯେ, ବର୍ତ୍ତମାନ ସବୁ ବୟସର ଲୋକଙ୍କୁ ଟିକା ଦେବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏବେ ଯିଏ ଚାହିଁବ ତାକୁ ନୁହେଁ, ଯାହାକୁ ଦରକାର ତାକୁ ଟିକା ଦେବା ଆମର ଉଦ୍ଦେଶ୍ୟ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଯେଉଁମାନଙ୍କର କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ଆଶଙ୍କା ଅଧିକ ରହିଛି, ସେମାନଙ୍କୁ ଆମେ ଟିକା ଦେବାକୁ ପ୍ରାଥମିକତା ଦେଉଛୁ। ଯିଏ ଚାହିଁବ ତାକୁ ନୁହେଁ, ଯାହାକୁ ଦରକାର ତାକୁ ଟିକା ଦେବା ଆମର ଉଦ୍ଦେଶ୍ୟ। ଅନେକ ଲୋକ ପଚାରିଛନ୍ତି ଯେ ଆମେ କାହିଁକି ସମସ୍ତଙ୍କ ପାଇଁ ଟିକାକରଣକୁ ଅନୁମତି ଦେଉ ନୁହେଁ? ଉତ୍ତର ହେଲା ଏହି ଟିକାକରଣ ଅଭିଯାନର ଦୁଇଟି ଉଦ୍ଦେଶ୍ୟ ରହିଛି; ମୃତ୍ୟୁକୁ ରୋକିବା ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସୁରକ୍ଷା କରିବା ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଦିଲ୍ଲୀ, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀମାନେ କୋଭିଡ-୧୯ ଟିକାକରଣର ବୟସ ସୀମା ହଟାଇବାକୁ ଏବଂ ରାଜ୍ୟର ସମସ୍ତ ବୟସ ବର୍ଗର ଲୋକଙ୍କୁ ଟିକା ଦେବା ନେଇ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଥିଲେ ଯେ, ଯଦି କେନ୍ଦ୍ର ସମସ୍ତ ନିୟମକୁ ହଟାଇ ଦିଏ ତେବେ ତାଙ୍କ ସରକାର ତିନି ମାସ ମଧ୍ୟରେ ସମସ୍ତ ଲୋକଙ୍କୁ ଟିକା ଦେଇପାରିବେ।