ଟିକାକରଣ ବଢ଼ିଛି, ଦ୍ବିତୀୟ ଡୋଜ୍‌ରେ ବିଳମ୍ବ

‌‌ଫେବ୍ରୁଆରି ୧୪ ପରଠାରୁ ଦୈନିକ ସଂକ୍ରମଣ ୫୦% ବୃଦ୍ଧି, ୭୮% ଗୁରୁତର କୋଭିଡ୍‌ ରୋଗୀ ମେଦବହୁଳତାର ଶିକାର

ନୂଆଦିଲ୍ଲୀ : ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାପାଇଁ କେନ୍ଦ୍ର ସରକାର ଟିକା‌ ନେବାରେ ଥିବା ସମୟ କଟକଣାକୁ ହଟାଇ ଦେଇଛନ୍ତି। ଏବେ ସପ୍ତାହକ ୭ ଦିନ ଏବଂ ୨୪ ଘଣ୍ଟା ଟିକାକରଣ ସୁବିଧା ଉପଲବ୍ଧ। ମାର୍ଚ୍ଚ ମାସରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୪୫ ବର୍ଷରୁ ଅଧିକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ଟିକା ନେଉଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଟିକାକରଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ଲୋକ ଟିକା ନେଉଛନ୍ତି। ଗତ ୮ ତାରିଖରେ ଦେଶରେ ଗୋଟିଏ ଦିନରେ ୨୦ ଲକ୍ଷରୁ ଅଧିକଙ୍କୁ ଟିକାକରଣ କରାଯାଇଥିଲା। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦ୍ବିତୀୟ ପର୍ଯ୍ୟାୟରେ ଟିକାକରଣ ତ୍ବରାନ୍ବିତ ହୋଇଥିଲେ ସୁଦ୍ଧା ଦ୍ବିତୀୟ ଡୋଜ୍‌ ଟିକା ନେବାରେ ବିଳମ୍ବ ହୋଇଛି। ପ୍ରଥମ ଡୋଜ୍‌ ଟିକା ନେବାର ୨୮ ଦିନ ପରେ ଦ୍ବିତୀୟ ‌ଡୋଜ୍‌ ଟିକା ନେବା ଉଚିତ। ଦେଶରେ ତିନି ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଦ୍ବିତୀୟ ଡୋଜ୍‌ ଟିକା ଦିଆଯିବା ଆରମ୍ଭ ହୋଇଛି। କିନ୍ତୁ ଏହି ୨୨ ଦିନ ମଧ୍ୟରେ ପ୍ରଥମ ଡୋଜ୍‌ ଟିକା ନେଇ ସାରିଥିବା ୧.୪ ନିୟୁତ ହିତାଧିକାରୀ ଦ୍ବିତୀୟ ଡୋଜ୍‌ ନେଇନାହାନ୍ତି। ମାର୍ଚ୍ଚ ୭ ସୁଦ୍ଧା ପୁରୁଷ ହିତାଧିକାରୀଙ୍କ ସଂଖ୍ୟା ମହିଳା ହିତାଧିକାରୀଙ୍କଠାରୁ ୧.୫ ନିୟୁତ ଅଧିକ ରହିଛି। ଏଯାବତ୍‌ ୧,୭୦୦ କିନ୍ନର ଟିକା ନେଲେଣି। ପ୍ରଥମ ଡୋଜ୍‌ ଟିକା ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ୧ ଚତୁର୍ଥାଂଶ ଦ୍ବିତୀୟ ଡୋଜ୍‌ ଟିକା ନେଇନଥିବା ଜଣାପଡ଼ିଛି। ମହିଳାଙ୍କ ତୁଳନାରେ ପୁରୁଷମାାନେ ଅଧିକ ଟିକା ନେଉଛନ୍ତି।

ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବେ ସଂକ୍ରମଣ ବଢ଼ିଚାଲିଛି। ଫେବ୍ରୁଆରି ୧୪ ପରଠାରୁ ଦେଶରେ ଦୈନିକ ସଂକ୍ରମଣ ମାମଲାରେ ୫୦ ପ୍ରତିଶତ ବୃଦ୍ଧି ହୋ‌ଇଛି। ତେବେ ଦୈନିକ ସଂକ୍ରମଣ ମାମଲା ବୃଦ୍ଧି ସତ୍ତ୍ବେ ଏକ ଆଶ୍ବସ୍ତିକର ବିଷୟ ହେଉଛି ଦେଶରେ ମୃତ୍ୟୁହାର କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୮୭୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୩ ଜଣଙ୍କ ମୃତ୍ୟୁ ହୋଇଛି। ୬ ରାଜ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ୮୦ ପ୍ରତିଶତ ସଂକ୍ରମଣ ମାମଲା ରହିଛି। ଦେଶରେ ଏବେ ସକ୍ରିୟ ମାମଲା ୧.୮୪ ଲକ୍ଷ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୬୪ ପ୍ରତିଶତ। ଦେଶରେ ଏବେ ଦୈନିକ କୋଭିଡ୍‌ ଟେଷ୍ଟ୍‌ ୨୨ କୋଟି ରହିଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍‌ ହାର ୨.୪୩ ପ୍ରତିଶତ ରହିଛି। ଗତକାଲି ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୯,୯୨୭ ଥିବାବେଳେ କେରଳରେ ୨,୩୧୬, ପଂଜାବରେ ୧,୦୨୭ ସଂକ୍ରମଣ ମାମଲା ରହିଛି। ଗତକାଲି ଦେଶରେ ଗୋଟିଏ ଦିନରେ ୧୩୩ ଜଣଙ୍କ ମୃତ୍ୟୁ ହୋଇଛି। ୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ‌ରେ କୌଣସି କୋଭିଡ୍‌ ମୃତ୍ୟୁ ହୋଇନାହିଁ। ମହାରାଷ୍ଟ୍ର‌ରେ ସଂକ୍ରମଣ ରୋକିବାପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି।

ନୂଆଦିଲ୍ଲୀ : ବିଶେଷଜ୍ଞମାନେ କରୋନାର ବିଭିନ୍ନ ରୂପ, କରୋନା ସଂକ୍ରମଣ କିଭଳି ବ୍ୟାପୁଛି ଏବଂ ରୋଗୀମାନଙ୍କ ଉପରେ ଏହା କିଭଳି ପ୍ରଭାବ ପକାଉଛି ତାହା ଭଲଭାବେ ଅନୁଧ୍ୟାନ କରି ସାରିଛନ୍ତି। ‌ତେବେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଦ୍ବାରା‌ ନିକଟ‌‌ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକାଂଶ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଗୋଟିଏ ସାଧାରଣ କଥା ହେଉଛି ସେମାନେ ମୋଟାପଣର ଶିକାର। ପରୋକ୍ଷରେ ଅଧିକାଂଶ ମୋଟା ବ୍ୟକ୍ତି ହିଁ କରୋନାରେ ଅତ୍ୟନ୍ତ ଗୁରୁତର ହୋଇଯାଉଛନ୍ତି। ଗତ ୮ ତାରିଖରେ ମର୍ବିଡିଟି ଆଣ୍ଡ୍‌ ମୋର୍ଟାଲିଟି ସାପ୍ତାହିକ୍‌ ରିପୋର୍ଟରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଏଥିରେ କରୋନା ସଂକ୍ରମିତ ହୋଇଥିବା ୧୪୮,୪୯୪ ଜଣଙ୍କୁ ଆକଳନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୭୨.୪୯୧ ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ହସ୍ପିଟାଲ୍‌ରେ ଥିବା ରୋଗୀମାନଙ୍କ ମଧ୍ୟରୁ ୨୮.୩ ପ୍ରତିଶତଙ୍କ ଓଜନ ମାତ୍ରାଧିକ ଏବଂ ୫୦.୨ ପ୍ରତିଶତ ମୋଟା। ଏହାର ଅର୍ଥ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୭୮.୫ ପ୍ରତିଶତ ରୋଗୀ ମେଦ ବହୁଳତାର ଶିକାର।

ସମ୍ବନ୍ଧିତ ଖବର