ଦେଶର ମାତ୍ର ୧.୯୭ ପ୍ରତିଶତଙ୍କୁ ଦିଆଯାଇପାରିଛି ଟିକାର ଦୁଇଟି ଡୋଜ 

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବାବେଳେ ଟିକାକରଣ ବି ଚାଲିଛି | ତେବେ କରୋନା ଟିକା ଦେବା କ୍ଷେତ୍ରରେ କେନ୍ଦ୍ର ଶାସିତ ଅଂଚଳ ଲଦାଖ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବରେ ବିବେଚନା କରାଯାଉଛି | ଲଦାଖ ଏପର୍ଯ୍ୟନ୍ତ ଏହାର ଜନସଂଖ୍ୟାର ସର୍ବାଧିକ ଲୋକଙ୍କୁ କୋଭିଡ-୧୯ ଟିକା ର ଅତି କମରେ ଗୋଟିଏ ଡୋଜ ଦେଇସାରିଛି । ସେହିପରି ଏକ ରିପୋର୍ଟ ଅନୁଯାୟୀ, ସର୍ବାଧିକ ଟିକା ଥିବା ସତ୍ତ୍ୱେ ଉତ୍ତରପ୍ରଦେଶ ଏହାର ଜନସଂଖ୍ୟାର ଏକ ପ୍ରତିଶତ ଲୋକଙ୍କୁ ବି ଟିକାର ଦୁଇଟି ଡୋଜ ଦେଇପାରିନାହିଁ |

ଆଉ ଦେଶର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ କୋଭିଡ୍ ଟିକାକରଣ କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି | ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନରୁ ଏହା ଦର୍ଶାଯାଇଛି ଯେ ଗୁଜୁରାଟରେ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇପାରିଛି | ଏଭଳି ପରିସ୍ଥିତିରେ ଆଜିଠାରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି |

ଗୋଟିଏ ଦିନ ପୂର୍ବରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶର ଜନସଂଖ୍ୟାର ମାତ୍ର ୧.୯୭ ପ୍ରତିଶତ ଲୋକଙ୍କୁ ଟିକାର ଉଭୟ ଡୋଜ ଦିଆଯାଇପାରିଛି | ଏଥି ସହିତ, ୯.୨୪ ପ୍ରତିଶତ ଲୋକଙ୍କୁ ଟିକାର ଗୋଟିଏ ମାତ୍ରା ଦିଆଯାଇପାରିଛି । ତେବେ ଶନିବାର ଆରୋଗ୍ୟ ସେତୁରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ସମୁଦାୟ ୧୫,୩୫,୦୪,୨୨୮ ଲୋକ ଅତି କମରେ ଗୋଟିଏ ଡୋଜ ନେଇଛନ୍ତି । ସେଥିମଧ୍ୟରୁ ୨,୭୨,୫୩,୩୯୫ ଜଣଙ୍କୁ ଉଭୟ ଡୋଜ ଦିଆଯାଇଛି |

ସମ୍ବନ୍ଧିତ ଖବର