୧୩ ସୁଦ୍ଧା ଆରମ୍ଭ ହୋଇପାରେ ଦେଶରେ ଟିକାକରଣ

ସିରମ୍‌ ଓ ଭାରତ ବାୟୋଟେକ୍‌ର ମିଳିତ ଶପଥନାମା

ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ଟିକାକୁ ଅପେକ୍ଷା କରି ରହିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଟିକା ଦେଶରେ ବିକଶିତ ହୋଇ ଭାରତୀୟ ଭେ‌ଷଜ ମହାନିୟନ୍ତ୍ରକ (ଡିସିଜିଆଇ)ର ଅନୁମତି ହାସଲ କରିସାରିଛି। ସେଥିରୁ ଗୋଟିଏ ହେଲା ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡ ଟିକା ଓ ଅନ୍ୟଟି ହେଲା ହାଇଦ୍ରାବାଦଭିତ୍ତିକ ଭାରତ ବାୟୋ‌ଟେକ୍‌ର କୋଭାକ୍ସିନ ଟିକା। ଏହି ଦୁଇଟି ଟିକାକୁ ଗତ ୩ ତାରିଖ ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) ଅନୁମତି ଦେଇସାରିଥିବାରୁ ଉକ୍ତ ଟିକା ଲୋକଙ୍କୁ କେବେ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଭଲ ଖବର ଆସିଛି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମଞ୍ଜୁରି ମିଳିବାର ୧୦ ଦିନ ଭିତରେ ଟିକା ଆରମ୍ଭ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଗତ ୩ ତାରିଖରେ ଟିକାକୁ ମଞ୍ଜୁରି ମିଳି ସାରିଥିବାରୁ ସେହିଦିନଠାରୁ ୧୦ ଦିନ ଭିତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେଣୁ ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି ବିଶ୍ବାସ ରହିଛି। ପ୍ରସ୍ତୁତ ହେଉଥିବା ସ୍ଥାନରୁ ଟିକାକୁ କିଭଳି ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚାଯିବ ସେ ସଂପର୍କରେ ମଧ୍ୟ ଶ୍ରୀ ଭୂଷଣ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ବିମାନ ମାଧ୍ୟମରେ ଟିକାଗୁଡ଼ିକୁ ପ୍ରସ୍ତୁତ ସ୍ଥାନରୁ ଦେଶର ୪ଟି ସ୍ଥାନରେ ଥିବା ସରକାରୀ ସ୍ବାସ୍ଥ୍ୟ ବିଭାଗର ଡିପୋକୁ ପଠାଯିବ। ସେହି ସ୍ଥାନଗୁଡ଼ିକ ହେଲା ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ହରିୟାଣାର କର୍ନଲ ବୋଲି ସେ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ପୃଥିବୀର ସର୍ବାଧିକ ଟିକା ନିର୍ମାତା ତଥା କୋଭିଡ୍‌ ଟିକା ‘କୋଭିସିଲ୍‌ଡ’ର ପ୍ରସ୍ତୁତକର୍ତ୍ତା ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଭାରତୀୟ ଟିକା ‘କୋଭାକ୍ସିନ୍‌’ର ଦେଶୀ ନିର୍ମାତା ଭାରତ ବାୟୋଟେକ୍‌ ଆଉ ପରସ୍ପର ମଧ୍ୟରେ ତୁ ତୁ ମେଁ ମେଁ ନହୋଇ ଦେଶବାସୀଙ୍କ ମଙ୍ଗଳ ପାଇଁ ଆଗକୁ ଥିବା ସାର୍ବଜନୀନ ଟିକାକରଣକୁ ସୁଗମ କରିବା ଲାଗି ଉଭୟ ଅଙ୍ଗୀକାରବଦ୍ଧ ବୋଲି ଆଜି ଏକ ମିଳିତ ବିବୃତିରେ ଶପଥ କରିଛନ୍ତି। ସୂଚନା ଥାଉ କି, କୋଭାକ୍ସିନ୍‌ ଟିକା ପାଣି ଭଳି ନିରାପଦ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଵାଲ ସୋମବାର ଆକ୍ଷେପ କରିବା ପରେ ଭାରତ ବାୟୋଟେକ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା ଏହାର ତୀବ୍ର ବିରୋଧ କରିବା ସହ ଅନୁରୂପ ଭାବେ ସମାଲୋଚନା କରିବାକୁ ଭୁଲିନଥିଲେ। ତେବେ ମଙ୍ଗଳବାର ଉଭୟ ଟିକା ନିର୍ମାତା ମିଳିତ ହୋଇ କୋଭିଡ୍‌-୧୯ ଟିକାର ବିକାଶ, ପ୍ରସ୍ତୁତି ଓ ଯୋଗାଣ କରିବେ ବୋଲି ଏକ ମିଳିତ ଶପଥପାଠରେ ଉଲ୍ଲେଖ କରିଛନ୍ତି। ସମ୍ପ୍ରତି ସେମାନଙ୍କ ସାମନାରେ ଦେଶବାସୀଙ୍କ ଜୀବନ ଓ ଜୀବିକା ବଞ୍ଚାଇବା ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର