ଟିକାକରଣ ନିରାଶାଜନକ, ତୃତୀୟ ଦିନ ପାଇଁ ବି ୧୫ ଲକ୍ଷ ତଳେ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ର ଭୟାବହତାର ସମୟୋଚିତ ମୁକାବିଲା ପାଇଁ ଦ୍ରୁତ ଗଣଟିକାକରଣ ହିଁ ଶ୍ରେଷ୍ଠ ଉପାୟ ଭାବେ ଉଭା ହୋଇଛି। ମାତ୍ର ଭାରତରେ ଦୀର୍ଘ ୪ ମାସ ହେଲା ଜାରି ରହିଥିବା ବିଶ୍ବର ଏହି ବୃହତ୍ତମ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅତ୍ୟନ୍ତ ନିରୁତ୍ସାହଜନକ ରହିଥିବା ସରକାରଙ୍କ କୋ-ଵିନ୍‌ ପୋର୍ଟାଲ ତଥ୍ୟରୁ ଜଣାଯାଇଛି। ମିଳିଥିବା ସୂଚନାନୁଯାୟୀ, ଲଗାତାର ତୃତୀୟ ଦିନ ପାଇଁ ଗତ ବୁଧବାର(୧୯ ତାରିଖ) ମଧ୍ୟ ଟିକା ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୧୫ ଲକ୍ଷ ତଳେ ରହିଛି। ଏପରିକି ଗତକାଲି ରାତି ୯ଟା ସୁଦ୍ଧା ମାତ୍ର ସାଢ଼େ ୧୧ ଲକ୍ଷରୁ ଅଳ୍ପ ଅଧିକ ନାଗରିକଙ୍କର ଟିକାକରଣ କରାଯାଇଥିବା ସ୍ପଷ୍ଟ ହୋଇଛି। ଚଳିତ ସପ୍ତାହର ପ୍ରାରମ୍ଭ ଦିନ(ସୋମବାର) ପ୍ରାୟ ୧୫ ଲକ୍ଷ ପାଖାପାଖି ଟିକା ଦିଆଯାଇଥିବା ବେଳେ ମଙ୍ଗଳବାର ତାହା ୧୩ ଲକ୍ଷକୁ ଖସି ଆସିଥିଲା। ତେବେ ବୁଧବାର ଏପରି ଅଳ୍ପ ସଂଖ୍ୟକ ନାଗରିକ ଟିକା ନେବା ପଛରେ ରହିଥିବା କାରଣ ଆହୁରି ଉଦ୍‌ବେଗଜନକ।

ପୋର୍ଟାଲ୍‌ରେ ତାଲିକାଭୁକ୍ତ ଥିବା ଦେଶର ମୋଟ ୭୫୪ଟି ଜିଲ୍ଲା ମଧ୍ୟରୁ ୯୨ଟି ଜିଲ୍ଲାରେ ଗତକାଲି ଆଦୌ ଟିକା ଦିଆଯାଇନଥିବା ଜଣାଯାଇଛି। ଏପରିକି ଗୁଜରାଟର ୪୧ ଜିଲ୍ଲାରୁ ମାତ୍ର ୫ଟିରେ ଏବଂ ତେଲେଙ୍ଗାନାର ୩୩ଟି ଜିଲ୍ଲାରୁ ମାତ୍ର ୩ଟିରେ ଟିକା ଦିଆଯାଇଛି। ଟିକା ପାଇନଥିବା ଅନ୍ୟ ଜିଲ୍ଲାଗୁଡ଼ିକ ବିକ୍ଷିପ୍ତ ଭାବେ ଦେଶର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାଯାଇଛି। ଦେଶରେ ମହାମାରୀର ଅଦ୍ୟାବଧି ଦ୍ବିତୀୟ ଲହର ସଂକ୍ରମଣ ଅବସରରେ ସରକାରୀ ଗଣନା ଭାବେ ୩ ଲକ୍ଷ ପାଖାପାଖି ଜୀବନ ଯାଇଛି ଯଦିଓ ବେସରକାରୀ ଭାବେ ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଏପରି ସ୍ଥଳେ ଆଗକୁ ତୃତୀୟ ଲହରର ଆଗମନ ଅବଶ୍ୟମ୍ଭାବୀ ହୋଇପଡ଼ିଥିବା ବେଳେ ଟିକାକରଣ ଏପରି ଧିମେଇ ଯିବା ବୁଦ୍ଧିଜୀବୀମାନଙ୍କୁ ବିବ୍ରତ କରିଛି।

ଅପରପକ୍ଷେ, ଅନେକ ରାଜ୍ୟରେ ଟିକାର ଘୋର ଅଭାବ ରହିଛି ବୋଲି ଅଭିଯୋଗ ଉଠୁଥିବା ବେଳେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଲା, ସମ୍ପ୍ରତି ସଂକ୍ରମଣର ବେଶୀ ଶିକାର ହେଉଥିବା ବୟସ୍କମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ବେଳେ ଏବେ ସେମାନଙ୍କ ପାଇଁ ଟିକା ଉପଲବ୍ଧ କରାଇବାରେ ସରକାର ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର