ଆଷ୍ଟ୍ରାଜେନିକା ଟିକାର ବ୍ୟବହାର ଜାରି ରହୁ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ :  ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାରେ ଦେଖାଯାଉଥିବା ପାର୍ଶ୍ବ ପ୍ରତିକ୍ରିୟା ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞମଣ୍ଡଳୀ  ଅନୁଧ୍ୟାନ ଜାରି ରଖିଛନ୍ତି । ସେମାନେ ଏହି ଟିକାର ନିରାପତ୍ତା ତଥ୍ୟର ସମୀକ୍ଷା ଚଳାଇଛନ୍ତି । କିନ୍ତୁ ଏବେ ଟିକାକରଣ ଜାରି ରହୁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ।

ଏକ ବୟାନ ଜାରି କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ  ଟିକା ସୁରକ୍ଷା ସମ୍ପର୍କିତ ପରାମର୍ଶଦାତା କମିଟି ଏବେ ଆଷ୍ଟ୍ରାଜେନିକା ଟିକାର  ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ ଚଳାଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟପାଇଁ  ଏହି ଟିକାର ଉପଯୋଗିତା ଏହାର ବିପଦ (ପାର୍ଶ୍ବ ପ୍ରତିକ୍ରିୟା ) ତୁଳନାରେ ଅଧିକ । ଏଣୁ ଟିକାକରଣ ଜାରି ରହୁ ।

ଆଜି ଭାରତ ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ. ଭି.କେ. ପଲ କହିଛନ୍ତି ଯେ ଏହି ଟିକାକୁ ନେଇ ଚିନ୍ତାର କୌଣସି କାରଣ ଏବେ ସାମନାକୁ ଆସିନାହିଁ ।

ସୂଚନାଯୋଗ୍ୟ ଯେ ଆଷ୍ଟ୍ରାଜେନିକା ଟିକା ନେଇଥିବା କେତେକ ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଭଳି ଗୁରୁତର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଉଥିବା ଅଭିଯୋଗ ହୋଇଛି । ଏସବୁ  ପାର୍ଶ୍ବ ପ୍ରତିକ୍ରିୟା ଡେନମାର୍କ, ବୁଲଗେରିଆ, ଅଷ୍ଟ୍ରିଆ, ଇଟାଲି, ନରଓ୍ବେ, ଆଇସଲାଣ୍ଡ, ଭଳି ଦେଶରେ ଦେଖାଦେଇଛି । ଫଳରେ ସେସବୁ ଦେଶରେ ଟିକାକରଣକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି ।

ଭାରତରେ  ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକାକୁ ପୁଣେର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଉତ୍ପାଦନ କରାଯାଉଛି । ଏହି ଟିକା ଓ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଭାରତରେ ଲୋକମାନଙ୍କୁ ଦିଆଯାଉଛି ।

ସମ୍ବନ୍ଧିତ ଖବର