ନୂଆଦିଲ୍ଲୀ: ଦେଶରେ ୧୫ରୁ ୧୮ ବର୍ଷ ଆୟୁ ବର୍ଗର ପିଲାଙ୍କ ଟିକାକରଣ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ଜାନୁଆରି ୩ ତାରିଖରୁ ଆରମ୍ଭ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଘୋଷଣା କରିଛନ୍ତି। ଏହା ସହିତ ଆଗଧାଡ଼ିର କରୋନା ଯୋଦ୍ଧା ତଥା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଜାନୁଆରି ୧୦ରୁ ବୁଷ୍ଟର ଡୋଜ୍ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ୬୦ ବର୍ଷରୁ ଅଧିକ ଆୟୁ ବର୍ଗର ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ମଧ୍ୟ ସେମାନଙ୍କ ଡାକ୍ତରଙ୍କ ପରାମର୍ଶ ଆଧାରରେ ବୁଷ୍ଟର୍ ଡୋଜ୍ ଜାନୁଆରି ୧୦ରୁ ଦିଆଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ବର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ୧୬ ଜାନୁଆରିରୁ ଆରମ୍ଭ ହୋଇଥିଲା ଏବଂ ଏହା ପଛରେ ଦେଶବାସୀଙ୍କ ସାମୂହିକ ପ୍ରୟାସ ଥିଲା। ଆଜ ଭାରତ ୧୪୧ କୋଟି କୋଭିଡ୍ ଟିକା ଡୋଜ ପ୍ରଦାନ କରିସାରିଛି। ଭାରତର ବୟସ୍କ ଜନଂଖ୍ୟାର ୬୧ ପ୍ରତିଶତ ଲୋକ ଉଭୟ ଡୋଜ୍ ନେଇସାରିଥିବା ବେଳେ ୯୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମ ଦେଶରେ ଖୁବ୍ଶୀଘ୍ର ନାକପୁଡ଼ା ଟିକା (ନାଜାଲ୍ ଭ୍ୟାକ୍ସିନ) ଆସିବାକୁ ଯାଉଛି। ଏବେ ବିଶ୍ବବ୍ୟାପୀ କୋଭିଡ୍ର ଓମିକ୍ରନ୍ ପ୍ରଜାତି ଦ୍ବାରା ସଂକ୍ରମଣ ବଢ଼ୁଛି । ତେବେ ଏହାକୁ ନେଇ ଭୟ କରିବାର କାରଣ ନାହିଁ, ଆମକୁ କେବଳ ସତର୍କ ରହିବାକୁ ହେବ ଏବଂ କୋଭିଡ୍ ନିୟମାବଳୀ ପାଳନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଏବେ ୧୮ ଲକ୍ଷ ପୃଥକ ବେଡ୍, ୫ ଲକ୍ଷ ଅକ୍ସିଜେନ୍ ସପର୍ଟ ବେଡ୍, ୧୪ ଲକ୍ଷ ଆଇସିୟୁ ବେଡ୍ ଏବଂ ପିଲାଙ୍କ ପାଇଁ ୯୦ ହଜାର ସ୍ବତନ୍ତ୍ର ବେଡ୍ ପ୍ରସ୍ତୁତ ରଖିଛି। ଆମ ପାଖରେ ଏବେ ୩୦୦୦ କାର୍ଯ୍ୟକ୍ଷମ ଅକ୍ସିଜେନ୍ ପ୍ଲାଣ୍ଟ୍ ରହିଛି ଏବଂ ସମସ୍ତ ରାଜ୍ୟକୁ ୪ ଲକ୍ଷ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଏବେ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଆମର କୋଭିଡ୍ ବିରୋଧୀ ଲଢ଼େଇକୁ ମଜଭୁତ କରିବା ସହ ସ୍କୁଲ, କଲେଜ ଯାଉଥିବା ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନୁକୂଳ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/19modi2.jpg)