ଆଜିଠାରୁ ପିଲାଙ୍କ ଟିକାକରଣ, ରାଜ୍ୟମାନଙ୍କର ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି (ସୋମବାର)ଠାରୁ ୧୫ରୁ ୧୮ ଆୟୁ ବର୍ଗର ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏ ବାବଦରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକାକରଣ ବାବଦରେ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳୀ ନେଇ ଆଲୋଚନା ହୋଇଛି। ଟିକାକରଣ ସଂକ୍ରାନ୍ତ ସମସ୍ତ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଲାଙ୍କ ପାଇଁ ଟିକାକରଣ ସ୍ଥଳ ସୁନିଶ୍ଚିତ କରିବା ସହ ସୁରକ୍ଷା ଓ ଶୃଙ୍ଖଳାରେ ଯେଭଳି କୌଣସି ବ୍ୟତିକ୍ରମ ନହେବ ସେଥିପ୍ରତି ଧ୍ୟାନ ରଖିବାକୁ କୁହାଯାଇଛି। କୋଭିଡ୍‌-୧୯ ପାଇଁ ସାର୍ବଜନନୀ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପ୍ରସ୍ତୁତି ଏବଂ ଟିକାକରଣର ଅଗ୍ରଗତି ସଂପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌ ବିରୋଧରେ ଦେଶ ଦୃଢ଼ତାର ସହ ଲଢ଼େଇ ଜାରି ରଖିଛି ଏବଂ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ଆମର କ୍ଷମତା ରହିଛି । ଦ୍ବିତୀୟ ଲହରରୁ ମିଳିଥିବା ଶିକ୍ଷା ଆଧାରରେ ଆମେ ଓମିକ୍ରନ ପ୍ରଜାତିଜନିତ ସଂକ୍ରମଣର ସଫଳ ମୁକାବିଲା କରିପାରିବା ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳରେ କରୋନା ସ୍ଥିତି, ଓମିକ୍ରନ୍‌ ସଂକ୍ରମଣ ସ୍ଥିତି, ଟିକାକରଣ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପିଲାଙ୍କ ଟିକାକରଣ ଏବଂ ଅକ୍ସିଜେନ୍‌ ଉପଲବ୍ଧତା ସଂପର୍କରେ ତଥ୍ୟ ଅବଗତ ହୋଇଥିଲେ। ପିଲାଙ୍କ ଟିକାକରଣ ପାଇଁ ପଂଜୀକରଣ ଅନ୍‌ଲାଇନ୍‌ରେ ଶନିବାରଠାରୁ ଆରମ୍ଭ ହୋଇଛି। କୋୱିନ୍‌ ଆପ୍‌ରେ ପଂଜୀକରଣ ଜାରି ରହିଥିବା ବେଳେ ସିଧାସଳଖ ଟିକାକରଣ କେନ୍ଦ୍ର‌କୁ ଯାଇ ମଧ୍ୟ ପିଲାଙ୍କ ପଂଜୀକରଣ କରିହେବ।

ସମ୍ବନ୍ଧିତ ଖବର