ସେପ୍ଟେମ୍ବର ସୁଦ୍ଧା ୧୨ ବର୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଟିକାକରଣ

ଡି‌ସେମ୍ବର ଶେଷ ସୁଦ୍ଧା ବୟସ୍କଙ୍କ ଟିକାକରଣ ଶେଷ ହେବ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସର ଶିଶୁଙ୍କ ଟିକାକରଣ ଆରମ୍ଭ ହେବ। ଟିକା ବିଶେଷଜ୍ଞ କମିଟି ମୁଖ୍ୟ ଏନ୍‌କେ ଆରୋରା ଆଜି ଏହା କହିଛନ୍ତି। ଦେଶରେ ଏବେ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକା ଦିଆଯାଉଛି। କିନ୍ତୁ ସେପ୍ଟେମ୍ବର ଆରମ୍ଭରୁ ୧୨ ବର୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଜାଇଡସ୍‌ ଟିକା ‘ଜାଇଭକ୍‌-ଡି’ର ଏମର୍ଜେନ୍ସି ବ୍ୟବହାର ପାଇଁ ସ୍ବିକୃତୀ ମିଳିବ। ଯଦି ଡିସିଜିଆଇ ଅନୁମତି ମିଳେ ତେବେ ବିଶ୍ବର ଏହା ପ୍ରଥମ ଡିଏନ୍‌ଏ ଟିକା ହେବ। ଏହି ଟିକା ଛୁଞ୍ଚି ବିହୀନ ଏବଂ ଏହା ଶିଶୁଙ୍କ ପାଇଁ ଅତି ସୁରକ୍ଷିତ। ଜେନେଟିକ୍‌ କୋଡ୍ ଡିଅକ୍ସିରିପୋନ୍ୟୁକ୍ଲିକ୍‌ ଏସିଡ୍‌ କିମ୍ବା ରିପୋନ୍ୟୁକ୍ଲିକ୍‌ ଏସିଡ୍‌ର କିଛି ଅଂଶ ଏହାର ପ୍ରସ୍ତୁତିରେ ବ୍ୟବହାର ହୋଇଛି। ୧୨-୧୮ ବର୍ଷ ମଧ୍ୟରେ ଏହି ଟିକାର ପରୀକ୍ଷଣ ତଥ୍ୟ ମଧ୍ୟ କିଛି ମାସ ମଧ୍ୟରେ ମିଳିଯିବ। ଆରୋରା କହିଛନ୍ତି, ସେପ୍ଟେମ୍ବର ‌ଶେଷ ସୁଦ୍ଧା ଟିକା ଉପଲବ୍ଧ ହୋଇଯିବ।

ଅନ୍ୟପକ୍ଷେ ଦେଶରେ ସମସ୍ତ ବୟସ୍କ ଜନସଂଖ୍ୟା ଡିସେମ୍ବର ଶେଷ ସୁଦ୍ଧା ଟିକା ନେଇପାରିବେ ବୋଲି ଡାକ୍ତର ଏନ୍‌କେ ଆରୋରା କହିଛନ୍ତି। ସରକାର ଏହି ଟାର୍ଗେଟ୍‌ ହାସଲ କରିପାରିବେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଜୁନ୍‌ ଏବଂ ଜୁଲାଇରେ ଦେଶରେ ଟିକାକରଣ ବୃଦ୍ଧି ହୋଇଛି। ମେ’ ସୁଦ୍ଧା ଦେଶକୁ ୫.୬ କୋଟି ଟିକା ମିଳିଥିଲା। ଏବେ ୧୦ରୁ ୧୨ କୋଟି ଟିକା ମିଳୁଛି ଏବଂ ଆସନ୍ତାମାସରେ ଏହା ପ୍ରାୟ ୧୬ରୁ ୧୮ କୋଟି ପହଞ୍ଚିବ। ସେପ୍ଟେମ୍ବରରେ ୩୦ କୋଟିରୁ ଅଧିକ ଡୋଜ୍‌ ଥିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର