ନୂଆଦିଲ୍ଲୀ : ଦେଶର ଭବିଷ୍ୟତ ଭାବେ ବିବେଚିତ ଯୁବ ବର୍ଗମାନଙ୍କର ଟିକାକରଣକୁ ଅଗ୍ରାଧିକାର ଦେବା ଉଚିତ ଥିଲା ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ କରିଛନ୍ତି। ସେହିପରି ଚଳିତ ମହାମାରୀ ସଂକ୍ରମଣ ଅବସରରେ ଏହି ଯୁବ ବର୍ଗର ବେଶି କ୍ଷତି ଘଟିଥିବା ବେଳେ ସରକାର ବରିଷ୍ଠମାନଙ୍କ ଟିକାକରଣକୁ କାହିଁକି ପ୍ରାଧାନ୍ୟ ଦେଲେ ବୋଲି ଅଦାଲତ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତାହା ଅର୍ଥ ନୁହେଁ ଯେ ବରିଷ୍ଠମାନଙ୍କର ଜୀବନ ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି ଧରିନେବା। କାରଣ ପରିବାରକୁ ଏହି ବରିଷ୍ଠମାନଙ୍କର ନୈତିକ ତଥା ଆବେଗିକ ସମର୍ଥନକୁ ଆଡ଼ କରିଦିଆଯାଇନପାରେ ବୋଲି ମଧ୍ୟ ଅଦାଲତ ସ୍ପଷ୍ଟ କରିଛନ୍ତି।
ଯୁବ ବର୍ଗର ହିତାଧିକାରୀଙ୍କୁ ଟିକା ମିଳୁନଥିବା ଘଟଣାରେ ଜଷ୍ଟିସ ସାଂଘି କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କ ଏହି ଟିକାନୀତି ଭାରି ଦୁର୍ବୋଧ୍ୟ ବୋଲି କହିଛନ୍ତି। ତୁମ ପାଖରେ ଆବଶ୍ୟକ ପରିମାଣର ଟିକା ନାହିଁ, ଅଥଚ ଏହି ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କର ଟିକାକରଣ ପାଇଁ ଘୋଷଣା କରିଦେବାଟା କେତେ ସମୀଚୀନ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଆମମାନଙ୍କୁ ଆମର ଭବିଷ୍ୟତକୁ ସୁରକ୍ଷିତ ରଖିବା ଦରକାର। ସୁତରାଂ ଯେଉଁ ବରିଷ୍ଠ ନାଗରିକମାନେ ଜୀବନ ବିତାଇ ସାରିଛନ୍ତି ସେମାନଙ୍କୁ ଆମେ ପ୍ରାଥମିକତା ଦେବା ଅପେକ୍ଷା ଏହି ଯୁବ ବର୍ଗ ହିତାଧିକାରୀଙ୍କର ପ୍ରଥମେ ଟିକାକରଣ କରିବାର ଥିଲା ଅଦାଲତ କହିଛନ୍ତି।
ଅପରପକ୍ଷେ, ବର୍ତ୍ତମାନ ଭଳି ସଂକଟଜନକ ସ୍ଥିତିରେ ଯଦି ଟିକାକରଣରେ ବାଛବିଚାର କରାଯାଏ, ତେବେ ଦେଶର ଭବିଷ୍ୟତ ଏହି ଯୁବକମାନଙ୍କୁ ହିଁ ପ୍ରଥମେ ବାଛିବାକୁ ହେବ ବୋଲି ଅଦାଲତ ଟିପ୍ପଣୀ କରିଛନ୍ତି। ସେହିପରି ଜୀବନକୁ ଭରପୂର ଉପଭୋଗ କରି ସାରିଥିବା ଜଣେ ୮୦ ବର୍ଷୀୟ କେବେ ଦେଶକୁ ଆଗେଇନେବନି ବୋଲି ଜଷ୍ଟିସ ସାଂଘି ମଧ୍ୟ ଟିପ୍ପଣୀ କରିଛନ୍ତି। ଯଦିଓ ସମସ୍ତଙ୍କର ସୁରକ୍ଷା ଆମମାନଙ୍କର ଦାୟିତ୍ବ, ତେବେ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମକୁ ପସନ୍ଦ କରିବାକୁ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/delhi-high-court.jpg)