ରେକର୍ଡ ପରେ ଧିମା ପଡ଼ିଗଲା ଟିକାକରଣ

ନୂଆଦିଲ୍ଲୀ : ଦେଶରେ ନୂ୍ଆ ଟିକା ନୀତି ଲାଗୁ ହେବାର ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଥିଲା। ଗତ ସୋମବାର ଦେଶରେ ୮୮ ଲକ୍ଷରୁ ଅଧିକ ଲୋକ ଟିକା ନେଇଥିଲେ। କିନ୍ତୁ ଏହାର ପରଦିନ ଟିକାକରଣ ଧିମେଇ ଯାଇଛି। ଦ୍ବିତୀୟ ଦିନ ଅର୍ଥାତ୍‌ ମଙ୍ଗଳବାର ରାତି ୧୦ ସୁଦ୍ଧା ଦେଶରେ ୫୩.୪ ଲକ୍ଷରୁ ଅଧିକ ଡୋଜ୍‌ ଟିକା ଦିଆଯାଇଛି। ସୋମବାର ତୁଳନାରେ ମଙ୍ଗଳବାର ଟିକାକରଣ ସଂଖ୍ୟା କମିଥିଲେ ମଧ୍ୟ ଅନ୍ୟ ଦିନଗୁଡ଼ିକ ତୁଳନାରେ ୧୦ ଲକ୍ଷ ଅଧିକ ଡୋଜ୍‌ ଟିକା ଦିଆଯାଇଛି।

ସୋମବାର ଦିନ ଟିକାକରଣରେ ରେକର୍ଡ ଭାଙ୍ଗିଥିବା ୫ ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୧୬.୯ ଲକ୍ଷ ଟିକା ଦିଆଯାଇଥିଲା। କିନ୍ତୁ ପରଦିନ ମଧ୍ୟପ୍ରଦେଶ ଟିକାକରଣ ୫ ହଜାର ସଂଖ୍ୟା ଛୁଇଁପାରିନି। ମଙ୍ଗଳବାର ମଧ୍ୟପ୍ରଦେଶରେ ୪୮୨୫ ଲୋକଙ୍କୁ ଟିକା ଦିଆଯାଇଛି। ସୋମବାର ଦିନ ମଧ୍ୟପ୍ରଦେଶ ଏହାର ସଂଖାଧିକ ଟିକା ଡୋଜ୍‌ ବ୍ୟବହାର କରିଦେଇଥିବା ଏଥିରୁ ଜଣାପଡ଼ୁଛି। ସେହିପରି ହରିୟାଣାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ସୋମବାର ତୁଳନାରେ ମଙ୍ଗଳବାର ହରିୟାଣାରେ ୮୫ ପ୍ରତିଶତ ଟିକାକରଣ କମିଯାଇଛି। ଗତ ସୋମବାର ହରିୟାଣାରେ ୫ ଲକ୍ଷ ଲୋକ ଟିକା ନେଇଥିଲେ କିନ୍ତୁ ମଙ୍ଗଳବାର ଏହା ୭୬,୦୦୦କୁ ହ୍ରାସପାଇଛି। ସେହିଭଳି କର୍ଣ୍ଣାଟକରେ ସୋମବାର ୧୧,୨୧,୬୪୮ ଲୋକ ଟିକା ନେଇଥିବାବେଳେ ମଙ୍ଗଳବାର ଏହା ୩,୯୨,୪୨୭କୁ କମିଯାଇଛି। ସେହିପରି ଗୁଜରାଟରେ ସୋମବାର ୫,୧୦,୪୩୪ ଲୋକ ଟିକା ନେଇଥିବାବେଳେ ମଙ୍ଗଳବାର ୪,୨୬,୩୧୭ ଜଣ ଟିକା ନେଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ସୋମବାର ତୁଳନାରେ ମଙ୍ଗଳବାର ଟିକାକରକଣ ବଢ଼ିଛି। ସୋମବାର ଏହି ରାଜ୍ୟରେ ୭,୨୫,୯୮୯ ଲୋକ ଟିକା‌ ନେଇଥିବାବେଳେ ମଙ୍ଗଳବାର ୭,୯୬,୪୫୮ ଲୋକ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର