୬ମାସ ମଧ୍ୟରେ ଦେଶରେ ୭.୭୮ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଟିକା, ଡିସେମ୍ବର ସୁଦ୍ଧା କେମିତି ସରିବ ଟିକାକରଣ ?

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ମୁଖ୍ୟ ଅସ୍ତ୍ର ପାଲଟିଛି ଟିକା । ଜାନୁଆରି ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୩୯ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୭.୭୮ କୋଟି ଲୋକ ଟିକାର ଦ୍ୱିତୀୟ ଡୋଜ ବି ନେଇ ସାରିଲେଣି । କେନ୍ଦ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ୪୦ କୋଟି ୩୧ ଲକ୍ଷ ଡୋଜ ଟିକା ଯୋଗାଇ ଦିଆଯାଇଛି । ହେଲେ ଏହାରି ମଧ୍ୟରେ ଏବେ ଅନେକ ରାଜ୍ୟ ସରକାର ଅଭିଯୋଗ ଆଣିଛନ୍ତି କି ସେମାନଙ୍କ ପାଖରେ ଟିକା ନାହିଁ । ତେଣୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି କେନ୍ଦ୍ର ସରକାର ଡିସେମ୍ବର ମାସ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ଟିକା ଦେଇ ପାରିବେ ତ ?

ଟିକାକରଣ ଅଭିଯାନରେ ପ୍ରଥମେ ସାମିଲ ହୋଇଥିଲା ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ । ଏହାପରେ ଋଷ ଓ ରେଡ୍ଡୀ ଲାବୋରେଟୋରୀ ଦ୍ୱାରା ପସ୍ତୁତ ସ୍ପୁଟନିକ-ଭି ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଥିଲା ।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ୩୯,୧୩,୪୦,୪୯୧ ଜଣଙ୍କୁ ଟିକା ଦିଆଯାଇଛି, ଯାହା ମଧ୍ୟରୁ ୩୧, ୩୫,୨୯,୫୦୨ ଜଣ ଟିକାର ପ୍ରଥମ ଡୋଜ ନେଇଥିବା ବେଳେ ୭,୭୮,୧୦,୯୮୯ ଜଣ ଲୋକ ଟିକାର ଉଭୟ ଡୋଜ ନେଇ ସାରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି କି ୬ ମାସ ମଧ୍ୟରେ ସରକାର ମାତ୍ର ୭.୭୮ ପ୍ରତିଶତ ନାଗରିକଙ୍କୁ ଟିକା ଦେବାରେ ସକ୍ଷମ ହୋଇଛନ୍ତି । ଏହାକୁ ନଜର କଲେ ଡିସେମ୍ବର ମାସ ମଧ୍ୟରେ ୧୦୦ ପ୍ରତିଶତ ଟିକା ଦେବା ସମ୍ଭବ କି ? ବୋଲି ପ୍ରଶ୍ନ ଉଠିଛି |

ଅନ୍ୟପଟେ ନିଅଣ୍ଟିଆ ଟିକା ଯୋଗାଣକୁ ନେଇ ରାଜ୍ୟମାନେ ଅଭିଯୋଗ କରିବା ପରେ ନୀତି ଆୟୋଗ ସଦସ୍ୟ ଡ. ବିକେ ପଲ କହିଛନ୍ତି । ଭ୍ୟାକ୍ସିନ ଉତ୍ପାଦନ ଓ ଯୋଗାଣ ନେଇ ରାଜ୍ୟ ସରକାରମାନଙ୍କୁ ସୂଚନା ଦିଆଯାଉଛି । ତେଣୁ ରାଜ୍ୟ ସରକାରମାନେ ଜାଣୁଛନ୍ତି କି ସେମାନଙ୍କ ରାଜ୍ୟକୁ କେଉଁ ତାରିଖରେ କେତେ ଟିକା ଯୋଗାଇ ଦିଆଯିବ । ଏହି ଆଧାରରେ ସେମାନେ ଟିକାକରଣର ଯୋଜନା କରିବାର ଆବଶ୍ୟକତା ରହିଛି । ଯେତିକି ପରିମାଣର ଟିକା ଉତ୍ପାଦନ ହେଉଛି ତାହାକୁ ଜନସଂଖ୍ୟା ଆଧାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି ।

ସମ୍ବନ୍ଧିତ ଖବର