ଟିକାକରଣରେ ବଡ଼ ସଫଳତା: ଏବେ ଦୁଇଟି ଡୋଜ୍‌ ନେଇଥିବା ଲୋକଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ : ଟିକାକରଣ କ୍ଷେତ୍ରରେ ଦେଶକୁ ଏକ ବଡ଼ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଦେଶରେ ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିବା ଲୋକଙ୍କ ସଂଖ୍ୟା ଗୋଟିଏ ଡୋଜ୍‌ ନେଇଥିବା ସଂଖ୍ୟାକୁ ଟପିଯାଇଛି। ୧୮ରୁ ୪୫ ବର୍ଷ ବୟସବର୍ଗ ମଧ୍ୟରେ ୩୮ କୋଟି ଲୋକ ୨ଟି ଯାକ ଡୋଜ୍‌ ନେଇଥିବାବେଳେ ୩୭.୫ କୋଟି ଲୋକ ଗୋଟିଏ ଡୋଜ୍‌ ନେଇଛନ୍ତି। ଗୋଟିଏ ଡୋଜ୍‌ ନେଇଥିବା ଲୋକଙ୍କ ତୁଳନାରେ ସମ୍ପୂର୍ଣ୍ଣ ଡୋଜ୍‌ ନେଇସାରିଥିବା ଯୁବବର୍ଗଙ୍କ ସଂଖ୍ୟା ଅଧିକ ରହିଛି। ଏଥିରୁ ଜଣାପଡ଼ୁଛି ଯେ, ଭାରତ ଏହାର ଦ୍ବିତୀୟ ଏବଂ ଗୁରୁତ୍ବପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମ ଶେଷ କରିବା ଦିଗରେ ଅଗ୍ରସର ହେଉଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ‘ହର ଘର ଦସ୍ତକ ଅଭିଯାନ’ ଏବଂ ସରକାରଙ୍କ ଉପରେ ଲୋକଙ୍କ ବିଶ୍ବାସ ଥିବା ଯୋଗୁଁ ଏହା ସଫଳ ହୋଇପାରିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦେଶରେ ଏଯାବତ୍‌ ୧୧୩ କୋଟି ଲୋକଙ୍କୁ ଟିକାକରଣ ସରିଛି। ତେବେ ଜନସାଧାରଣଙ୍କୁ ଟିକା ଦେବାପାଇଁ ଭାରତ ମୋଟ୍‌ ୧୮୮ କୋଟି ଡୋଜ୍‌ ଆବଶ୍ୟକ କରୁଛି। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟ ଏବଂ କେରଳରେ ୪୦ ପ୍ରତିଶତରୁ ଅଧିକ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକା ଦିଆସରିଛି। ଦେଶରେ ଏବେ ଦୈନିକ ପ୍ରାୟ ୫୦ ଲକ୍ଷ ଡୋଜ୍‌ ଟିକା ଦିଆଯାଉଛି। ଏହି ହାରରେ ଆସନ୍ତା ଏପ୍ରିଲ ୨୦୨୨ ସୁଦ୍ଧା ଦେଶରେ ସମସ୍ତ ନାଗରିକ ଟିକା ନେଇ ସାରିଥିବେ। ଅନ୍ୟପକ୍ଷେ କେନ୍ଦ୍ର ସରକାର ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଯୁବବର୍ଗଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

କୋଭିଡ ଆରୋଗ୍ୟ ହାର ୯୮.୨୮%
ସପ୍ତାହିକ ପଜିଟିଭ୍‌ ହାର ୦.୯୬%
ଦେଶରେ ଗତ ୨୪ ଘଣ୍ଟାରେ ୧୦.୧୯୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ଦୈନିକ ସଂକ୍ରମଣ ମାମଲା ୮,୮୬୫ ଥିଲା। ଏହା ୨୮୭ ଦିନରେ ସବୁଠାରୁ କମ୍‌ ଥିଲା। ଦେଶରେ ଗତ ୨୪ ଘଣ୍ଟାରେ ୧୨,୧୩୪ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୮,୭୩,୮୯୦ରେ ପହଞ୍ଚିଛି। ଦେଶରେ ଏବେ ଆରୋଗ୍ୟ ହାର ୯୮.୨୮ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚ ୨୦୨୦ ପରେ ଏହା ସର୍ବାଧିକ।

ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ୧,୨୮.୫୫୫ ରହିଛି ଏବଂ ୫୨୭ ଦିନରେ ଏହା ସବୁଠୁ କମ୍‌। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୩୭ ପ୍ରତିଶତ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଦୈନିକ ପଜିଟିଭ୍‌ ହାର ୦.୮୨ ପ୍ରତିଶତ। ଲଗାତାର ୪୪ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ହେଉଛି ୦.୯୬ ପ୍ରତିଶତ। ଲଗାତାର ୫୪ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି।

ସମ୍ବନ୍ଧିତ ଖବର