ପ୍ରତି ୪ ଜଣରେ ଜଣେ ଭାରତୀୟ ସଂପୂର୍ଣ୍ଣ ଟିକା ନେଇଛନ୍ତି
୬୯% ଲୋକ ଗୋଟିଏ ଡୋଜ୍ ନେଇସାରିଛନ୍ତି
ନୂଆଦିଲ୍ଲୀ : ଭାରତ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି। ଆଗାମୀ ସପ୍ତାହକ ମଧ୍ୟରେ ୧୦୦ କୋଟି ଲୋକଙ୍କ ଟିକାକରଣ ଲକ୍ଷ ହାସଲ ହେବାକୁ ଯାଉଛି। ଦେଶରେ ଆଜି ସୁଦ୍ଧା ୮୯ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇଥିବା ବେଳେ ଆଉ ୧୧ କୋଟି ପାଇଁ ୮ ଦିନ ସମୟ ଧାର୍ଯ୍ୟ କରାଯାଇଛି। ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଟିକାକରଣକୁ ନେଇ ବିଶେଷ ଅଭିଯାନ ଆରମ୍ଭ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି।
ଦେଶରେ ଟିକାକରଣ ଅଭିଯାନକୁ ୯ ମାସ ପୂରଣ ହେବାକୁ ଯାଉଥିବା ବେଳେ ୧୮ରୁ ଊର୍ଦ୍ଧ୍ବ ବୟସ୍କ ୬୯ ପ୍ରତିଶତ ଜନସଂଖ୍ୟା ଅତି କମ୍ରେ ଗୋଟିଏ ଡୋଜ୍ ନେଇସାରିଛନ୍ତି ଏବଂ ୨୫ ପ୍ରତିଶତ ସଂପୂର୍ଣ୍ଣ (୨ଟି ଡୋଜ୍) ଟିକା ନେଇସାରିଛନ୍ତି। ପ୍ରତି ଚାରିଜଣରେ ଜଣେ ଭାରତୀୟ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଭାରତ ଏପରି ସମୟରେ ଏହି ଲକ୍ଷ୍ୟ ହାସଲ କରିଛି ଯେତେବେଳେ ଦେଶରେ ଛଅ ମାସରୁ ଅଧିକ ସମୟ ପରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୩ ଲକ୍ଷରୁ କମିଛି। ସର୍ବାଧିକ ସଂଖ୍ୟକ ଲୋକ ଅନ୍ତତଃ ଗୋଟିଏ ଡୋଜ୍ କରୋନା ଟିକା ନେବାରେ ଚୀନ୍ ତଳକୁ ଭାରତର ସ୍ଥାନ ଦ୍ବିତୀୟରେ ରହିଛି। ଡିସେମ୍ବର ଶେଷ ସୁଦ୍ଧା ଭାରତ ସମସ୍ତ ବୟସ୍କଙ୍କ ଟିକାକରଣ ଅଭିଯାନ ଶେଷ କରିପାରିବ ବୋଲି ଆଶା କରାଯାଉଛି।
ଦେଶର ୬୫ କୋଟି ଲୋକ ଅତି କମ୍ରେ ଗୋଟିଏ ଡୋଜ୍ ନେଇସାରିଥିବାରୁ ଏହା ଦେଶ ପାଇଁ ଆଶ୍ବସ୍ତିର କାରଣ ପାଲଟିଛି। ଭାରତରେ ଟିକାକରଣ ଅଭିଯାନ ଜୁଲାଇ ୨୦୨୧ ପରେ ତ୍ବରାନ୍ବିତ ହୋଇଥିଲା। ଦ୍ବିତୀୟ ଲହର ଶୀର୍ଷରେ ଥିବା ବେଳେ ଦେଶରେ ଟିକା ଅଭାବ ଦେଖାଦେଇଥିଲା। ତେବେ ଜୁଲାଇରୁ ଏହି ଅଭାବ ଦୂର ହେଲା ଏବଂ ଦେଶର ସବୁ ଅଂଚଳରେ ଟିକାକରଣ ପ୍ରକ୍ରିୟା ବ୍ୟାପକ ହେଲା। ସେପ୍ଟେମ୍ବର ମାସରେ ୨୩ କୋଟି ୬୦ ଲକ୍ଷ ଡୋଜ୍ ଟିକା ଦିଆଯାଇଥିବା ବେଳେ ଅଗଷ୍ଟରେ ୧୮.୩୮ କୋଟି ଡୋଜ୍ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/vaccine.jpg)