କରୋନା ଭାଇରସ ଟୀକା ବାହାରିବାକୁ ବର୍ଷେ ଲାଗିବ : ବିଶେଷଜ୍ଞ

ନୂଆଦିଲ୍ଲୀ : କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଥିବାବେଳେ ଏହାର ଟୀକା କେବେ ବାହାରିବ ତାହାକୁ ନେଇ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । କିନ୍ତୁ ନିକଟ ଭବିଷ୍ୟତରେ ଏହି ରୋଗର ଟୀକା ବାହାରିବାର ସମ୍ଭାବନା କମ ବୋଲି ଜଣାପଡ଼ିଛି । ବିଶ୍ୱର ଜଣେ ଜଣାଶୁଣା ଭୁତାଣୁ ବିଶେଷଜ୍ଞ (ଭାଇରୋଲୋଜିଷ୍ଟ) ଇଆନ ଲିପକିନ କହିଛନ୍ତି ଯେ କରୋନା ଭାଇରସର ଟୀକା ବାହାରିବାକୁ ପ୍ରାୟ ବର୍ଷେ ଲାଗିଯିବ ।

ସେ କହିଛନ୍ତି ଯେ କରୋନା ଭାଇରସର ଟୀକା ବାହାରିନଥିଲେ ମଧ୍ୟ ଲୋକମାନେ କେତେକ ସତର୍କତାମୂଳକ ପଦକ୍ଷେପ ନେଇ ନିଜକୁ ସୁରକ୍ଷିତ ରଖିପାରିବେ । ନିୟମିତ ଭାବେ ହାତ ଧୋଇବା, ପାଟି କିମ୍ବା ମୁହଁରେ ହାତ ଲଗାଇବା ପରେ ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ମୃତ୍ୟୁସଂଖ୍ୟା ୩୧୬୦  ଛୁଇଁଛି । ଏହା ସହିତ ବିଶ୍ୱରେ ପ୍ରାୟ ୯୧ ହଜାର ଜଣ ସଂକ୍ରମିତ ହୋଇଛନ୍ତି, ଏହା ମଧ୍ୟରୁ ୮୦ ହଜାର ଚୀନର ବୋଲି ଜଣାପଡ଼ିଛି । ଇରାନରେ ମୃତ୍ୟୁସଂଖ୍ୟା ୯୨ରେ ପହଞ୍ଚିଛି ଓ ୨୯୨୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ଇଟାଲୀରେ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି । ସେହିପରି ଭାରତରେ କରୋନା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି । ସମଗ୍ର ବିଶ୍ୱର ପ୍ରାୟ ୬୦ଟି ଦେଶକୁ କରୋନା ଭାଇରସ ସଂକ୍ରମଣ ପହଞ୍ଚିସାରିଲାଣି ।

ସମ୍ବନ୍ଧିତ ଖବର