ୱାଶିଂଟନ: କରୋନା ଭାଇରସ୍କୁ ନେଇ ସାରା ବିଶ୍ବରେ ଭୟର ଆତଙ୍କ ଖେଳିଥିବା ବେଳେ ମାଇକ୍ରୋସଫ୍ଟର ସହ-ନିର୍ମାତା ବିଲ୍ ଗେଟ୍ସ ଏକ ସକାରାତ୍ମକ ମତ ରଖିଛନ୍ତି। ସେ କହିଛନ୍ତି କି ଯଦି ପୂର୍ଣ୍ଣ ଧ୍ୟାନ କରୋନା ଭାଇରସ୍କୁ ମିଳେ ତେବେ ୧୨ ମାସ ଭିତରେ ଏହି ମହାମାରୀର ପ୍ରତିଷେଧକ ବାହାରିଯିବ। ସେ ଆହୁରି ବି କହିଛନ୍ତି କି ମାତ୍ର ସେପ୍ଟେମ୍ବର ପୂର୍ବରୁ ଔଷଧ ତିଆରି କାମ ଆରମ୍ଭ ହୋଇପାରିବ ନାହିଁ।
ଗଣମାଧ୍ୟମ ସଂସ୍ଥା ସିଏନ୍ଏନ୍ ସହ କଥା ହୋଇ ବିଲ୍ ଗେଟ୍ସ କହିଛନ୍ତି କି ସବୁକିଛି ଠିକ୍ ଭାବେ ଚାଲିଲେ ଗୋଟାଏ ବର୍ଷ ଭିତରେ ପ୍ରତିଷେଧକ ବାହାରିଯିବ। ଅତି ବେଶିରେ ଏହା ଦୁଇ ବର୍ଷ ସମୟ ନେବ।
ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିନ୍ଦା ଗେଟ୍ସଙ୍କ ଦ୍ବାରା ଚାଲୁଥିବା ସ୍ବେଚ୍ଛାସେବୀ ସଂଗଠନ ‘ବିଲ୍ ଆଣ୍ଡ୍ ମେଲିନ୍ଦା ଗେଟ୍ସ ଫାଉଣ୍ଡେସନ୍’ ପକ୍ଷରୁ ମହାମାରୀ କରୋନା ଭାଇରସ୍କୁ ସର୍ବାଧିକ ଧ୍ୟାନ ଦେବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ପୂରା ବିଶ୍ବରେ ସମୁଦାୟ ୩୦ ଲକ୍ଷ ୧୨ ହଜାର ୪୩୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨ ଲକ୍ଷରୁ ଊର୍ଧ୍ବ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି। ଚୀନର ଉହାନ ସହରୁ ସୃଷ୍ଟି ହୋଇଥିବା ଏହି ଭାଇରସ୍ ଏବେ ସୁଦ୍ଧା ୨୧୦ ଦେଶକୁ କବଳିତ କରି ସାରିଲାଣି। ଆମ ଦେଶ ଭାରତରେ ୨୮ ହଜାର ୩୮୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୮୬ ଛୁଇଁଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାଣିବାକୁ ମିଳିଛି।