ବିଦେଶକୁ କମିଲା ଭାରତୀୟ ଟିକା ରପ୍ତାନିର ହାର, ୨୦ ଦିନରେ ପଠାଯାଇଛି ମାତ୍ର ୪୫ ଲକ୍ଷ ଡୋଜ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ସଂକ୍ରମଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଏହାରି ଭିତରେ ଟିକାକୁ ନେଇ ରାଜନୀତି ଜୋର ଧରିଛି | ବିଶେଷ କରି ଭାରତ ପକ୍ଷରୁ ଅନ୍ୟ ଦେଶକୁ ଦିଆଯାଉଥିବା ଟିକାକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଟିକା ପଠାଇବା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଆଉ ରାଜ୍ୟମାନେ ମଧ୍ୟ ଟିକା ତୁରନ୍ତ ଯୋଗାଇଦେବାକୁ ଦାବି କରୁଥିବାରୁ କେନ୍ଦ୍ର ସରକାର ଟିକା ରପ୍ତାନିକୁ କମାଇଦେଇଛନ୍ତି | ସୂଚନା ମୁତାବକ ଭାରତ ୨୦ ଜାନୁୟାରୀ ୨୦୨୧ରୁ ‘ଭ୍ୟାକ୍ସିନ୍ ଫ୍ରେଣ୍ଡସିପ୍’ କୂଟନୈତିକ ଅନୁଯାୟୀ ଅନ୍ୟ ଦେଶକୁ ଟିକା ପଠାଇବା ଆରମ୍ଭ କରିଥିଲା। ଏହା ଅଧୀନରେ ପ୍ରଥମେ ପଡୋଶୀ ଦେଶକୁ ଟିକା ପଠାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମାର୍ଚ୍ଚ ୨୪ ରେ ଲୋକସଭାରେ ପଚରାଯାଇଥିବା ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବି ମୁରଲୀଧରନ କହିଥିଲେ ଯେ ମାର୍ଚ୍ଚ ୨୧ ସୁଦ୍ଧା ଭାରତ ଅନ୍ୟ ଦେଶକୁ ମୋଟ ୬୦ ମିଲିୟନ ବା ୬ କୋଟି ଡୋଜ ଟିକା ପଠାଇଛି। ସେଥିମଧ୍ୟରୁ ୮୧.୫ ଲକ୍ଷ ଡୋଜ ସାହାଯ୍ୟ ଭାବେ, ବ୍ୟବସାୟିକ ଚୁକ୍ତିନାମା ଅନୁଯାୟୀ ୩.୪୨ କୋଟି ଡୋଜ ଏବଂ କୋଭାକସ ବ୍ୟବସ୍ଥା ଅନୁଯାୟୀ ୧.୭୭ କୋଟି ଡୋଜ ୭୬ ଟି ଦେଶକୁ ପଠାଯାଇଛି । ତେବେ ବର୍ତ୍ତମାନ ତଥ୍ୟ ଦର୍ଶାଉଛି ଯେ ଗତ ୨୦ ଦିନ ମଧ୍ୟରେ ବିଦେଶକୁ ପଠାଯାଉଥିବା ଟିକାର ରପ୍ତାନି ହାର ଯଥେଷ୍ଟ ହ୍ରାସ ପାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ଭାରତ ଅନ୍ୟ ଦେଶକୁ ମୋଟ ୬.୪୫ କୋଟି ଡୋଜ କରୋନା ଟିକା ପଠାଇଛି। ଏଥିମଧ୍ୟରୁ ବ୍ୟବସାୟ ଚୁକ୍ତିନାମା ଅନୁଯାୟୀ ମୋଟ ୭୬ ଟି ଦେଶକୁ ସାହାଯ୍ୟ ଭାବେ ୧.୦୫ କୋଟି ଡୋଜ, ବ୍ୟବସାୟ ଚୁକ୍ତିନାମା ଅନୁଯାୟୀ ୩.୫୮ କୋଟି ଡୋଜ ଏବଂ କୋଭାକସ ବ୍ୟବସ୍ଥା ଅନୁଯାୟୀ ୧.୮୨ କୋଟି ଡୋଜ ପଠାଯାଇଛି। ଏହାର ଅର୍ଥ ହେଉଛି ଗତ ୨୦ ଦିନ ମଧ୍ୟରେ କେବଳ ୪୫ ଲକ୍ଷ ଡୋଜ ପଠାଯାଇଛି।