ଦେଶରେ ଟିକା ମହଜୁଦ, ଟିକାକରଣ ହାର କମୁଛି

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ବିତୀୟ ଲହର ଏବେ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଟିକାକରଣ କାର୍ଯ୍ୟକ୍ରମ ଦିଗହରା ହୋଇଯାଇଛି। ଦେଶରେ ଜାନୁଆରି ୧୬ ତାରିଖରେ ଟିକା ପ୍ରଦାନ ଆରମ୍ଭ ହେଲା। ଏପ୍ରିଲ ବେଳକୁ ଭାରତରେ ଦିନକୁ ପ୍ରାୟ ୪୦ ଲକ୍ଷ ଟିକା ଲୋକଙ୍କୁ ଦିଆଯାଉଥିଲା। ଏହାପରେ କେନ୍ଦ୍ର ସରକାର ମେ ପହିଲାରୁ ୧୮ ବର୍ଷରୁ ୪୫ ବର୍ଷ ବୟସର ଲୋକଙ୍କୁ ଟିକାକରଣ ଆରମ୍ଭ କରିଛନ୍ତି। ଅଧିକ ବୟସ ବର୍ଗର ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଥିଲେ ମଧ୍ୟ ଏବେ ଦୈନିକ ଟିକା ନେଉଥିବା ବ୍ୟକ୍ତିଙ୍କ ସଂଖ୍ୟା କମ୍ ରହିବା ଚିନ୍ତାର ବିଷୟ ପାଲଟିଛି। ଦେଶରେ ଦୈନିକ ଟିକାକରଣ ହାର ୨.୩ ନିୟୁତ ବା ୨୩ ଲକ୍ଷକୁ କମିଯାଇଛି। ଏବେ ସିରମ ଇନଷ୍ଟିଚ୍ୟୁଟ୍ ହିଁ ଦିନକୁ ୨.୪ ନିୟୁତ ବା ୨୪ ଲକ୍ଷ ଟିକା ଉତ୍ପାଦନ କରୁଛି। ଭାରତ ବାୟୋଟେକକୁ ମିଶାଇଲେ ଦେଶରେ ଟିକା ଉତ୍ପାଦନ ଅଧିକ ରହିଛି। କିନ୍ତୁ ଲୋକଙ୍କୁ ଉପଲବ୍ଧ ହେଉଥିବା ଟିକା ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ରହିଛି। ତେଣୁ ଦେଶରେ କେତେ ଟିକା ମହଜୁଦ ରହିଛି ଏବଂ ଅତିରିକ୍ତ ଟିକା ‌ଡୋଜ୍ କେନ୍ଦ୍ର ସରକାର କମ୍ପାନିଗୁଡ଼ିକ ଠାରୁ କେବେ ସୁଦ୍ଧା ସଂଗ୍ରହ କରି ଯୋଗାଇ ଦେବେ ତାହାକୁ ନେଇ କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ। ତେବେ ଏହା ମଧ୍ୟ ନୁହେଁ ଯେ କମ୍ପାନି ଗୁଡ଼ିକ ନିକଟରେ କୌଣସି ଟିକା ଉତ୍ପାଦନ ପ୍ରକ୍ରିୟାରେ ନାହିଁ। ଏକ ସୂଚନା ଅନୁଯାୟୀ, ସିରମ ଇନଷ୍ଟିଚ୍ୟୁଟରେ ପ୍ରାୟ ୪୦ରୁ ୫୦ ନିୟୁତ ବା ୪ କୋଟିରୁ ୫ କୋଟି ଡୋଜ୍ ଟିକା ଗୁଣବତ୍ତା ନିୟନ୍ତ୍ରଣ ବା କ୍ବାଲିଟି କଣ୍ଟ୍ରୋଲର ବିଭିନ୍ନ ପର୍ଯ୍ୟାୟରେ ରହିଛି। ସିରମ୍ ଇନଷ୍ଟିଚ୍ୟୁଟ୍ ଦୈନିକ ୨୪ ଲକ୍ଷ ଟିକା ଉତ୍ପାଦନ କରୁଛି। କିନ୍ତୁ ଏହି ଟିକାର ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷା କରି ଜାତୀୟ ନିୟନ୍ତ୍ରଣ ପରୀକ୍ଷାଗାର ଦ୍ବାରା ବଜାରକୁ ଛାଡ଼ିବା ପାଇଁ ପାଖାପାଖି ୨୮ ଦିନ ଲାଗିଥାଏ।

ସରକାର ନିକଟରେ ଟିକା ସଂପର୍କରେ ଯେଉଁ ତଥ୍ୟ ରଖିଛନ୍ତି ତାହା ବାସ୍ତବତାକୁ ପ୍ରତିଫଳିତ କରୁନାହିଁ। ଗତ ୬ ତାରିଖରେ ସରକାର କହିଥିଲେ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୧୭୧ ନିୟୁତ ଟିକା ମାଗଣାରେ ଦିଆଯାଇଛି। ସେହିଭଳି ମେ ୬ ତାରିଖ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ନିକଟରେ ୮.୯ ନିୟୁତରୁ ଅଧିକ ଟିକା ମହଜୁଦ ରହିଛି। ଏଥିସହିତ ଆସନ୍ତା ଦୁଇ ତିନି ଭିତରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୨.୮ ନିୟୁତରୁ ଅଧିକ ଟିକା ଡୋଜ୍ ଯୋଗାଇ ଦିଆଯିବ। ଅର୍ଥାତ୍ ଏହି ସମୟ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ନିକଟରେ ୧୧.୭ ନିୟୁତ ଡୋଜ୍ ଟିକା ଉପଲବ୍ଧ ହେବ। କିନ୍ତୁ ବର୍ତ୍ତମାନ ଯେଉଁ ହାରରେ ଟିକାକରଣ ଚାଲିଛି ତାହାକୁ ଦେଖିଲେ ମହଜୁଦ ଥିବା ଉକ୍ତ ଟିକା ଡୋଜ୍ ଅଳ୍ପ କିଛିଦିନ ମଧ୍ୟରେ ଶେଷ ହୋଇଯିବ।

ସମ୍ବନ୍ଧିତ ଖବର