କ୍ଷତି ସହିବେ ଟିକା ନିର୍ମାତା, ଘରୋଇ ହସ୍ପିଟାଲ୍

କାହା ପାଇଁ ଦାମ୍ କେତେ, କେତେ କ୍ଷତି ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଟିକା ନୀତିରେ ସଂଶୋଧନ କରି ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ଘୋଷଣା କରିବା ପରେ ଟିକା ନିର୍ମାତା ଓ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ବିପୁଳ ଆର୍ଥିକ କ୍ଷତି ସହିବେ ବୋଲି ଆକଳନ କରାଯାଇଛି। ଏକ ହିସାବରୁ ଜଣାପଡ଼ିଛି ଯେ ଟିକା ନିର୍ମାତା ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ ମାସକୁ ୨୬.୨୫ କୋଟି ଟଙ୍କା ଓ ଭାରତ ବାୟୋଟେକ୍ ମାସିକ ୪୫ କୋଟି ଟଙ୍କା କ୍ଷତି ସହିବ। ସିରମ୍‌ ମାସକୁ ୭୦ ନିୟୁତ ଡୋଜ୍ ଓ ଭାରତ ବାୟୋଟେକ୍ ୪୦ ନିୟୁତ ଡୋଜ୍ ପ୍ରସ୍ତୁତ କରୁଥିବା ଆଧାରରେ ଏହି ହିସାବ କରାଯାଇଛି।

ଗତ ଏପ୍ରିଲ୍‌ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ୫୦% ଟିକା କେନ୍ଦ୍ର ସରକାର ଦେବେ ଓ ବଳକା ୫୦% ଟିକାକୁ ରାଜ୍ୟ ଓ ଘରୋଇ ହସ୍ପିଟାଲ୍‌ଗୁଡ଼ିକ କିଣିବେ। ରାଜ୍ୟ ୨୫% ଓ ଘରୋଇ ହସ୍ପିଟାଲ୍ ୨୫% ଟିକା କିଣିବେ। ସିରମ୍ ଇନଷ୍ଟିଚ୍ୟୁଟ୍ ରାଜ୍ୟଗୁଡ଼ିକୁ ପ୍ରତି ଡୋଜ୍ ୩୦୦ ଟଙ୍କାରେ ଓ ଘରୋଇ ହସ୍ପିଟାଲ୍‌କୁ ୬୦୦ ଟଙ୍କାରେ ବିକ୍ରି କରୁଛି। ଭାରତ ବାୟୋଟେକ୍ ରାଜ୍ୟଗୁଡ଼ିକ ଠାରୁ ପ୍ରତି ଡୋଜ୍ ପାଇଁ ୬୦୦ ଟଙ୍କା ଆଦାୟ କରୁଥିବା ବେଳେ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ଠାରୁ ୧୨୦୦ ଟଙ୍କା ନେଉଛି। କିନ୍ତୁ ଉଭୟ ସଂସ୍ଥା ଠାରୁ କେନ୍ଦ୍ର ସରକାର ପ୍ରତି ଡୋଜ୍‌କୁ ୧୫୦ ଟଙ୍କାରେ କିଣୁଛନ୍ତି। ଯଦି କେନ୍ଦ୍ର ସବୁ ଟିକା କିଣିବ ତେବେ ରାଜ୍ୟ ଓ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ଠାରୁ କଂପାନିଗୁଡ଼ିକ ଯେଉଁ ଚଢ଼ା ଦାମ୍ ପାଉଥିଲେ ତାହା ହରାଇବେ। ଉଭୟ ସଂସ୍ଥା ମାସକୁ ଅଧିକ ଟିକା ଉତ୍ପାଦନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଜୁଲାଇ-ଅଗଷ୍ଟ ସୁଦ୍ଧା ସିରମ୍ ମାସକୁ ୧୦୦ ନିୟୁତ ଡୋଜ୍ ଓ ଭାରତ ବା‌ୟୋଟେକ୍ ବ‌ର୍ଷକୁ ୧୦୦ କୋଟି ଡୋଜ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।

ଘରୋଇ ହସ୍ପିଟାଲ୍‌ଗୁଡ଼ିକ ସେବା ଶୁଳ୍କ ଭାବେ ଡୋଜ୍ ପିଛା ଯେଉଁ ୧୫୦ ଟଙ୍କା ପାଉଛନ୍ତି ତାହା ହରାଇବେ। ଲୋକମାନଙ୍କ ଘରେ ପହଞ୍ଚି ଟିକାକରଣ କରିବା ଲାଗି ହସ୍ପିଟାଲ୍‌ଗୁଡ଼ିକ ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତକାଲି ଘୋଷଣା ପରେ ଅଧିକାଂଶ ହସ୍ପିଟାଲ୍‌ ସେମାନଙ୍କ ନୀତିର ପୁନର୍ବିଚାର କରିବାକୁ ଚାହୁଛନ୍ତି। କାରଣ ଟିକାକୁ ଲୋକମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବାରେ ବିପୁଳ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ହସ୍ପିଟାଲ୍ ବାହାରେ ଟିକାକରଣ ଲାଗି ଶୁଳ୍କ ପରିମାଣ ବଢ଼ାଇବାକୁ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏକ ବଡ଼ ହସ୍ପିଟାଲ୍‌ର ସିଏମ୍‌ଡି କହିଛନ୍ତି ଯେ ସରକାର ଚାହିଥିଲେ ଟିକା ଦାମ୍‌ର ସୀମା ନିର୍ଧାରଣ କରିପାରିଥାନ୍ତେ। ଏବେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ବୟସ୍କ, ଭିନ୍ନକ୍ଷମ ଓ ଗମନାଗମନ କରିପାରୁନଥିବା ଲୋକମାନଙ୍କ ଟିକାକରଣରେ ପ୍ରତିବନ୍ଧକ ଭାବେ ଉଭା ହେବ।

ସମ୍ବନ୍ଧିତ ଖବର