ଦୁଇଟି ଟିକା ମିଶାଇ ନେଲେ କ’ଣ ହେବ? କିଛି ସପ୍ତାହ ମଧ୍ୟରେ ଭାରତରେ କରାଯିବ ଏହାର ପରୀକ୍ଷା

ନୂଆଦିଲ୍ଲୀ: ଯଦି କୋଭାକସିନ ଓ କୋଭିସୀଲଡ଼ ଟିକା ମିଶାଇକି ନେବେ ତେବେ କ’ଣ ହେବ ? ଶରୀରରେ କେଉଁ ସବୁ ପାର୍ଶ୍ଵପ୍ରତିକ୍ରିୟା ଦେଖା ଦେବ, କେବେ ଭାବିଛନ୍ତି କି? ଯଦି ନା, ତେବେ କିଛି ସପ୍ତାହ ମଧ୍ୟରେ ଆପଣ ଏହା ଜାଣିବାକୁ ପାଇବେ | କାରଣ କିଛି ସପ୍ତାହ ମଧ୍ୟରେ ଭାରତରେ ଦୁଇଟି ଅଲଗା ଟିକାକୁ ମିଶାଇ ପରୀକ୍ଷା କରାଯିବାକୁ ଯାଉଛି | ଟିକାକରଣକୁ ନେଇ ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା(ନ୍ୟାସନାଲ ଟେକ୍ନିକାଲ ଆଡ଼ଭାଇଜାରୀ ଗ୍ରୁପ ଅନ ଇମ୍ୟୁନାଇଜେସନ) ଡାକ୍ତର ଏନ.କେ ଆରୋରା ସୋମବାର କହିଛନ୍ତି ଯେ ଖୁବ ଶୀଘ୍ର ଦେଶରେ କୋଭିଡ ଟିକା ର ଦୁଇଟି ଭିନ୍ନ ଡୋଜକୁ ମିଶାଇ ପରୀକ୍ଷା କରାଯିବ। ଆରୋରା କହିଛନ୍ତି ଯେ ଏହା କରୋନା ଭୂତାଣୁ ପ୍ରତି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷା କରାଯିବ |

ଏହି ପରୀକ୍ଷା କିଛି ସପ୍ତାହ ମଧ୍ୟରେ ଆରମ୍ଭ ହେବ । ଏନ.କେ ଆରୋରା କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏକ ଚିଠିରେ ଉଲ୍ଲେଖ କରିଛି ଯେ ଜୁନ୍ ମାସରୁ ସେମାନେ କୋଭିଡ୍ ଭ୍ୟାକ୍ସିନର ୧୦-୧୨ କୋଟି ଡୋଜ ପ୍ରସ୍ତୁତ କରିବେ। ସେହିଭଳି ଭାରତ ବାୟୋଟେକ ମଧ୍ୟ କୋଭାକ୍ସିନର ଉତ୍ପାଦନ ବୃଦ୍ଧି କରିବାକୁ ଯାଉଛି। ଜୁଲାଇ ଶେଷ ସୁଦ୍ଧା ଏହା ୧୦ ରୁ ୧୨ କୋଟି ଡୋଜ ଉତ୍ପାଦନ କରିବ।

ଡାକ୍ତର ଏନ.କେ ଆରୋରା କହିଛନ୍ତି ଯେ ଅଗଷ୍ଟ ମାସରେ ଦେଶରେ ମାସକୁ ପ୍ରାୟ ୨୦-୨୫ କୋଟି ଟିକା ମିଳିବ। ସେହିପରି ମାସକୁ ଅନ୍ୟ କୋଭିଡ ଟିକା ୫ ରୁ ୬ କୋଟି ଡୋଜ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି |

ସମ୍ବନ୍ଧିତ ଖବର