ଟିକାରୁ ମିଳୁଛି ୯୫% ଭୂତାଣୁ ସୁରକ୍ଷା: ସର୍ବେକ୍ଷଣ

ମୁମ୍ବାଇ/ହାଇଦ୍ରାବାଦ: କୋଭିଡ୍‌ ଟିକା ଗ୍ରହଣ କରି ସାରିଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ କରାଯାଇଥିବା ଏକ ବାସ୍ତବ ଅନୁଧ୍ୟାନରୁ ଦେଶରେ ସମ୍ପ୍ରତି ବିନିଯୋଗ ହେଉଥିବା କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ଟିକା ଅଭିନବ କରୋନାଭୂତାଣୁ ବିରୋଧରେ ୯୫ ପ୍ରତିଶତ ଯାଏ ରୋଗପ୍ରତିରୋଧକତା ସୁରକ୍ଷା ବିକଶିତ କରିପାରୁଥିବା ଜଣାଯାଇଛି। ଏଥି ସହିତ ଉକ୍ତ ଭୂତାଣୁ ଦ୍ବାରା ପୁଣି ଥରେ କେହି ସଂକ୍ରମିତ ହେଲେ ବି ରୋଗର ଅତିଶୟତା ଢେର କମିଯାଉଥିବା ସ୍ପଷ୍ଟ ହୋଇଛି। ଏହି ଅନୁଧ୍ୟାନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଉଭୟ ଟିକା ଯଦିଓ ଭୂତାଣୁ ବିରୋଧରେ ଫଳପ୍ରଦ ତେବେ ଜଣେ ହିତାଧିକାରୀଙ୍କ ଶରୀରରେ କୋଭିସିଲ୍‌ଡ ଟିକା କୋଭାକ୍ସିନ୍‌ ତୁଳନାରେ ଅଧିକ ମାତ୍ରାରେ ଆଣ୍ଟିବଡି ବିକଶିତ କରିପାରୁଛି।

ସୂଚନାନୁଯାୟୀ, ୧୩ଟି ରାଜ୍ୟର ୨୨ଟି ସହରରୁ ମୋଟ ୫୧୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇବା ବେଳେ ସେମାନଙ୍କ ମଧ୍ୟରୁ ୪୨୫ ଜଣ କୋଭିସିଲ୍‌ଡ ଓ ୯୦ ଜଣ କୋଭାକ୍ସିନ୍‌ ଟିକା ନେଇଥିଲେ। ତେବେ ଟିକାର ଦ୍ବିତୀୟ ମାତ୍ରା ନେବାର ୨୧ରୁ ୩୬ ଦିନ ଭିତରେ ୯୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ରୋଗପ୍ରତିରୋଧକତା ପ୍ରତିକ୍ରିୟା ବିକଶିତ ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କ ଭିତରୁ କୋଭିସିଲ୍‌ଡ ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କର ୯୮ ପ୍ରତିଶତ ଓ କୋଭାକ୍ସିନ୍‌ ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କର ୮୦ ପ୍ରତିଶତଙ୍କ ଠାରେ ଏପରି ଭୂତାଣୁ ବିରୋଧୀ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାଯାଇଛି। ଏହି ଅନୁଧ୍ୟାନରେ କେଉଁ ଟିକା ଅଧିକ ଫଳପ୍ରଦ ବା କେଉଁ ଟିକା ଅଧିକ ଗ୍ରହଣୀୟ ତାହା ଜାଣିବା ଅପେକ୍ଷା ମୋଟାମୋଟି ଭାବେ ଟିକାକରଣର ପ୍ରଭାବ ନିରୀକ୍ଷଣ କରିବା ହିଁ ମୂଳ ଉଦ୍ଦେଶ୍ୟ ବୋଲି ଗବେଷକମାନେ କହିଛନ୍ତି। ଅପରପକ୍ଷେ, ଏପରି ଆଣ୍ଟିବଡି ବିକାଶରେ ଲିଙ୍ଗ, ମେଦ ବହୁଳତା କିମ୍ବା ଅନ୍ୟାନ୍ୟ ଗୁରୁତର ରୋଗର ସେପରି ଉଲ୍ଲେଖନୀୟ ପ୍ରଭାବ ନଥିଲା ବେଳେ ବରିଷ୍ଠ ନାଗରିକ ଏବଂ ଟାଇପ୍‌-୨ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହା କମ୍ ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର