ନୂଆଦିଲ୍ଲୀ: ଭାରତର ନିଜସ୍ବ ଜ୍ଞାନକୌଶଳରେ ବିକଶିତ 'କୋଭାକ୍ସିନ୍‌' ନାମକ ଦେଶର ପ୍ରଥମ କୋଭିଡ-୧୯ ଟିକାର ମାନବୀୟ ପରୀକ୍ଷଣ ଗତ ସପ୍ତାହରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬ଟି ସହରରେ ନାମୀ ଡାକ୍ତରଖାନାମାନଙ୍କରେ ଏହି ପରୀକ୍ଷଣ ଜାରି ରହିଥିବା ବେଳେ ପରେ ପରେ ବାକି ୬ଟି ସହରରେ ଆରମ୍ଭ ହେବ ବୋଲି ଜଣାଯାଇଛି। ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ସ୍ବେଚ୍ଛାସେବୀମାନଙ୍କୁ ଟିକାର ପ୍ରଥମ ମାତ୍ରା ଦିଆଯାଇଥିବା ବେଳେ ତାହାର ୧୪ ଦିନ ପରେ ଦ୍ବିତୀୟ ମାତ୍ରା ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍) ସହଯୋଗରେ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ(ଏନ୍‌ଆଇଭି) ଓ ହାଇଦ୍ରାବାଦ ସ୍ଥିତ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ୍‌ ଲି. ଦ୍ବାରା ମିଳିତ ଭାବେ ବିକଶିତ ଏହି ଟିକାର ମାନବୀୟ ପରୀକ୍ଷଣ ପାଇଁ ଦେଶର ମୋଟ ୧୨ଟି ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରକୁ ବଛାଯାଇଛି।

Advertisment

ସେଗୁଡ଼ିକ ମଧ୍ୟରେ ପ୍ରଥମେ ଆରମ୍ଭ ହୋଇଥିବା ବିହାରର ପାଟନା ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ମୋଟ ୧୮ ଜଣ ସ୍ବେଚ୍ଛାସେବୀଙ୍କ ଭିତରୁ ଗତ ୧୫ ତାରିଖରେ ୧୧ ଜଣଙ୍କୁ ଟିକାର ପ୍ରଥମ ମାତ୍ରା ଦିଆଯାଇଛି। ସେହିପରି ହରିଆଣାର ରୋହତକ ସ୍ଥିତ ପିଜିଏମ୍‌ଆଇଏସ୍‌ରେ ବଛାଯାଇଥିବା ୨୦ ଜଣ ସ୍ବେଚ୍ଛାସେବୀ ଗତ ୧୭ ତାରିଖରେ ପ୍ରଥମ ମାତ୍ରା ପାଇଛନ୍ତି। ସେହିପରି ଦିଲ୍ଲୀ ଏମ୍‌ସରେ ସର୍ବାଧିକ ୧୦୦ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ଟିକା ପ୍ରୟୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତକାଲି ପ୍ରଥମେ ୧୨ ଜଣ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇଥିଲା। ତେବେ ସେମାନଙ୍କର ବିଭିନ୍ନ ପ୍ରକାର ନମୁନା ପରୀକ୍ଷା ପରେ ୧୦ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କୁ ଏଥିପାଇଁ ରଖାଯାଇଥିଲା ଏବଂ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପ୍ରଥମ କରି ଟିକା ଦିଆଯାଇଥିଲା।

ଅପରପକ୍ଷେ, ହାଇଦ୍ରାବାଦ ସ୍ଥିତ ନିଜାମ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌ରେ ମୋଟ ୬୦ ଜଣ ସ୍ବେଚ୍ଛାସେବୀଙ୍କ ଭିତରୁ ଗତ ସୋମବାର ମାତ୍ର ଦୁଇ ଜଣଙ୍କୁ ଏବଂ ଆଜି ଆଉ ଦୁଇ ଜଣଙ୍କୁ ଟିକା ପ୍ରୟୋଗ କରାଯାଇଛି। ଭୁବନେଶ୍ବର ସ୍ଥିତ ସମ୍‌ ହସ୍ପିଟାଲ୍‌ ପାଇଁ ପଶ୍ଚିମବଙ୍ଗର ୬୦ ଜଣ ସ୍ବେଚ୍ଛାସେବୀ ଆବେଦନ କରିଛନ୍ତି। କର୍ଣ୍ଣାଟକର ବେଲଗାଓଁ ସ୍ଥିତ ଜୀବନରେଖା ହସ୍ପିଟାଲ୍‌ରେ ୨୦୦ ଜଣ ସ୍ବେଚ୍ଛାସେବୀଙ୍କୁ ଟିକା ଦିଆଯିବାକୁ ଥିବା ବେଳେ ସେଠାରେ ଖୁବ୍‌ ଶୀଘ୍ର ଚୟନ ପ୍ରକ୍ରିୟା ଆରମ୍ଭ ହେବ।