ଦେଶର ୫ଟି ସ୍ଥାନରେ ହେବ ଅକ୍ସଫୋର୍ଡ ଟିକାର ଚୂଡ଼ାନ୍ତ ପରୀକ୍ଷଣ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଔଷଧ ନିର୍ମାତା ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ବିକଶିତ ସିଏଚ୍‌ଏଡିଓଏକ୍ସ୧ ନାମକ କୋଭିଡ୍‌ ଟିକାର ଚୂଡ଼ାନ୍ତ ପରୀକ୍ଷଣ ଭାରତର ୫ଟି ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେବ ବୋଲି ଜଣାଯାଇଛି। ଏହା ବିଶେଷ କରି ଆମ ଦେଶବାସୀଙ୍କଠାରେ ପ୍ରୟୋଗ କରାଯାଉଥିବାରୁ ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ଫଳାଫଳ ଆମପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଜୈବପ୍ରଯୁକ୍ତି ବିଭାଗ ସଚିବ ରେଣୁ ସ୍ବରୂପ କହିଛନ୍ତି। ବିଶ୍ବର ସର୍ବାଧିକ ଟିକା ପ୍ରସ୍ତୁତକାରୀ ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ନିଜର ସହଭାଗୀ ଭାବେ ବାଛିଛନ୍ତି। ଦେଶରେ ଉକ୍ତ ଟିକାର ଦ୍ବିତୀୟ ଓ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଭାରତୀୟ ଭେଷଜ ନିୟନ୍ତ୍ରକଙ୍କଠାରୁ ଅନୁମତି ଲୋଡ଼ିଥିଲା।

ଏପରିକି ଚୂଡ଼ାନ୍ତ ଫଳାଫଳ ପୂର୍ବରୁ ମଧ୍ୟ କମ୍ପାନି ଟିକା ପ୍ରସ୍ତୁତି ଆରମ୍ଭ କରିବାକୁ ଇଚ୍ଛା ପ୍ରକଟ କରିଥିଲା। ମାତ୍ର ଚୂଡ଼ାନ୍ତ ପରୀକ୍ଷଣ ପରେ ହିଁ ତାହା କରିବାକୁ କୁହାଯାଇଥିଲା। ବର୍ତ୍ତମାନ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ଉକ୍ତ ଟିକାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚାଲୁ ରହିଥିବା ବେଳେ ଭାରତରେ ହିଁ ଏହାର ଫଳାଫଳକୁ ଆମେ ଅପେକ୍ଷା କରିଛୁ ବୋଲି ରେଣୁ ସ୍ବରୂପ କହିଛନ୍ତି। ସେଥିପାଇଁ ଦେଶର ୫ଟି ସ୍ଥାନକୁ ବଛାଯାଇଛି ଏବଂ ଖୁବ୍ ଶୀଘ୍ର ସେଠାରେ ଟିକାର ଚୂଡ଼ାନ୍ତ ପରୀକ୍ଷଣ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆମ ଦେଶରେ ‘କୋଭିସିଲ୍‌ଡ’ ନାମରେ ଉକ୍ତ ଟିକାକୁ ବଜାର ଛାଡ଼ିବ ବୋଲି ଜଣାଯାଇଛି। ଏହି ଟିକାକୁ ପ୍ରଥମେ ଦେଶର ୫,୦୦୦ ସ୍ବେଚ୍ଛାସେବୀଙ୍କ ଠାରେ ପ୍ରୟୋଗ କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର