ପଶୁମାନଙ୍କୁ ଟିକା ଦେବା ଆରମ୍ଭ କଲା ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ ବେହାଲ କରିଥିବା କରୋନା ବିରୋଧରେ ଟିକା ହିଁ ଏକମାତ୍ର ବିକଳ୍ପ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହି ମତକୁ ଗ୍ରହଣ କରି ସାରା ବିଶ୍ୱରେ ଏବେ ଜୋରଦାର ଟିକାକରଣ ଚାଲିଛି । କରୋନା ସଂକ୍ରମଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକାରେ ଏବେ ୩୨ କୋଟିରୁ ଅଧିକ ଅର୍ଥାତ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବା ପରେ ପଶୁମାନଙ୍କୁ ଟିକା ଦେବାକୁ ଆରମ୍ଭ କରିଛନ୍ତି ଆମେରିକା ସରକାର ।

ଆମେରିକାର ଚିଡିଆଖାନାରେ ପଶୁମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଆମେରିକାର ସାନଫ୍ରାନ୍ସିସ୍କୋ ଅଞ୍ଚଳରେ ଥିବା ଓକଲାଣ୍ଡ ଚିଡିଆଖାନାରେ ପଶୁମାନଙ୍କୁ କରୋନା ନିରୋଧି ଟିକା ପ୍ରଦାନ କରାଯାଉଛି । ସେଠାରେ ପ୍ରଥମେ ବାଘ ଓ ଭାଲୁମାନଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ପଶୁମାନଙ୍କ ପାଇଁ ଏହି କରୋନା ଟିକା ଆମେରିକାର ନ୍ୟୁ ଜର୍ସି ସ୍ଥିତ ହେଲ୍ଥ କମ୍ପାନୀ ଜିଓଟିକ୍ ପ୍ରସ୍ତୁତ କରିଛି ।

ଓକଲାଣ୍ଡ ଚିଡିଆଖାନା ତରଫରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି କି, ପଶୁମାନଙ୍କୁ ଟିକାକରଣ କରିବାକୁ ଜିଓଟିକ୍ ତରଫରୁ ୧୧ ହଜାର ଟିକା ଦାନ କରାଯାଇଛି । ଏହି ଟିକାକୁ ଦେଶର ୨୭ ଟି ରାଜ୍ୟର ୭୦ଟି ଚିଡିଆଖାନାକୁ ପ୍ରଦାନ କରାଯିବ । ଏହି ଟିକାକୁ ପ୍ରାରମ୍ଭରେ ବାଘ, ଭାଲୁ, ନେଉଳ ମାନଙ୍କୁ ଦିଆଯିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର