ଟିକା ଲୋକମାନଙ୍କୁ ୮-୧୦ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ରକ୍ଷା କରିବ : ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ : ଟିକା ନେଲେ ତାହା ଲୋକମାନଙ୍କୁ ୮-୧୦ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବ ବୋଲି ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ।

ଆଇପିଏସ (କେନ୍ଦ୍ରୀୟ) ସଂଘର ଏକ ସମାରୋହରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ଭାରତରେ ଦିଆଯାଉଥିବା କରୋନା ଟିକାର ଏପର୍ଯ୍ୟନ୍ତ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନାହିଁ । ଏସବୁ ଟିକା ଲୋକମାନଙ୍କୁ ୮-୧୦ ମାସ ପର୍ଯ୍ୟନ୍ତ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବ ।

ଭାରତରେ ଏବେ ପୁଣି ବଢିଚାଲିଥିବା କରୋନା ସଂକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ସଂକ୍ରମଣ ପୁଣି ବଢିବାର କାରଣ ହେଉଛି ଲୋକମାନେ ଆଉ ପୂର୍ବପରି ସତର୍କତା ଅବଲମ୍ବନ କରୁନାହାନ୍ତି । ଲୋକମାନେ ଭାବୁଛନ୍ତି କରୋନା ଚାଲିଗଲାଣି । ସେଥିପାଇଁ ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆସିଯାଇଛି । ଏବେ ବି ଲୋକମାନେ ଅତି ଜରୁରୀ ନହେଲେ ଯାତ୍ରା କରିବା ଉଚିତ ନୁହେଁ ।

ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି ଯେ, କରୋନା ସଂକ୍ରମଣର ଶୃଙ୍ଖଳାକୁ ରୋକିବା ପାଇଁ ଟିକା ଏକ ଉପାୟ । କିନ୍ତୁ ସତର୍କତା ଓ ନିୟନ୍ତ୍ରଣ ମଧ୍ୟ ଜରୁରୀ ।  ସେ ମଧ୍ୟ କହିଛନ୍ତି ଯେ ଲୋକମାନଙ୍କ ଖାମଖିଆଲି ମନୋଭାବ ଓ ନିୟମାବଳୀକୁ ହେୟଜ୍ଞାନ ସଂକ୍ରମଣ ଫେରିବାର ବଡ଼ କାରଣ ।

ସମ୍ବନ୍ଧିତ ଖବର