ମେଦବହୁଳଙ୍କୁ କାମ ଦେବନି କୋଭିଡ୍‌ ଟିକା

ନ୍ୟୁୟର୍କ: ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ସଫଳ ତଥା ନିରାପଦ ଟିକାଟିଏ ବାହାର କରିବା ପାଇଁ ବିଶ୍ବବ୍ୟାପୀ ଉଦ୍ୟମ ବଳବତ୍ତର ରହିଛି। ତେବେ ଏଥିପାଇଁ କିଛି ଗବେଷକ ଅନ୍ତିମ ପାହାଚରେ ପାଦ ଥାପିଥିବା ବେଳେ କିଛି ଗବେଷକ ଏହାର ଭିନ୍ନି ଦିଗ ଉପରେ ମଧ୍ୟ ଅନୁଧ୍ୟାନ ଜାରି ରଖିଛନ୍ତି। ଏ ପରିପ୍ରେକ୍ଷୀରେ ମେଦବହୁଳତା ପରି କିଛି ସ୍ବାସ୍ଥ୍ୟ ସମସ୍ୟା କୌଣସି ସମ୍ଭାବ୍ୟ କୋଭିଡ୍‌ ଟିକା ପାଇଁ ଅସଫଳ ସାବ୍ୟସ୍ତ ହେବ ବୋଲି କିଛି ଗବେଷକ ମତ ରଖିଛନ୍ତି। ମହାମାରୀ କୋଭିଡ୍‌ର ଆବିର୍ଭାବ ବେଳେ ଖୁବ୍‌ କ୍ବଚିତ୍‌ ଲୋକ ଏହି କରୋନାଭୂତାଣୁ ସାର୍ସ-କୋଭ୍‌-୨ ସମ୍ପର୍କରେ ଜାଣିଥିଲେ। ପ୍ରଥମେ ପ୍ରଥମେ ବୟସ୍କ ଏବଂ ଅନ୍ୟ ରୋଗରେ ପୀଡ଼ିତମାନଙ୍କୁ ଅତିସଂକ୍ରମଣପ୍ରବଳ ଭାବେ ବିବେଚନା କରାଯାଇଥିଲା।

ଧୀରେ ଧୀରେ ଉକ୍ତ ଭୂତାଣୁ ସମ୍ପର୍କରେ ଅଧିକ ସୂଚନା ଆସିବା ପରେ ୧୦ ବର୍ଷରୁ କମ୍‌ ଶିଶୁ, ପୃଥୁଳକାୟ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ଅତିସଂକ୍ରମଣଶୀଳ ବର୍ଗରେ ରଖାଯାଇଥିଲା। ଏହି ଅବସରରେ ମେଦବହୁଳ ଲୋକଙ୍କ ଠାରେ କୌଣସି ପ୍ରକାର କୋଭିଡ୍‌ ଔଷଧ କମ୍‌ କାମ ଦେବ ବୋଲି ଆମେରିକାର କିଛି ଗବେଷକ ଦାବି କରିଛନ୍ତି। ମେଦବହୁଳତା ଜଣଙ୍କ ଶରୀରର ରୋଗପ୍ରତିରୋଧ ପ୍ରତିକ୍ରିୟାକୁ ଅଟକାଇଦେଇଥାଏ ଯାହାକି ଶରୀରଫୁଲା ଭାବେ ଜଣାପଡ଼ିଥାଏ। ସୁତରାଂ ସେମାନଙ୍କ ଠାରେ କୌଣସି ଟିକା ଖୁବ୍‌ କମ୍‌ କାମ ଦେଇଥାଏ। ତେବେ ତାହା କେତେ କାମ ଦେବ ନଦେବ ତାହା ବଡ଼ କଥା ନୁହେଁ, ସାମଗ୍ରିକ ଭାବେ ପୃଥୁଳକାୟଙ୍କ ଠାରେ ତାହା ଫଳପ୍ରଦ କି ନୁହେଁ ତାହା ହିଁ ଗୁରୁତ୍ବ ବହନ କରୁଛି ବୋଲି ବର୍ମିଂହାମ୍‌ ସ୍ଥିତ ଆଲବାମା ବିଶ୍ବବିଦ୍ୟାଳୟର ଗବେଷକ ଡା. ଚାଦ୍‌ ପେଟିଟ୍‌ କହିଛନ୍ତି। ଅର୍ଥାତ୍‌ ଟିକା କାମ କରୁଥାଇପାରେ, ମାତ୍ର ତାହା ମେଦବହୁଳଙ୍କ ପାଇଁ ଫଳପ୍ରଦ ହୋଇନପାରେ।

ସମ୍ବନ୍ଧିତ ଖବର