ସୁସ୍ଥ ହେବାର ୩ ମାସ ନ ପୂରୁଣୁ ଟିକା, ରୋକିପାରୁନି କୋ-ଵିନ୍‌ ଆପ୍‌

ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ କୋଭିଡ୍‌ ଟିକା ନେବା ପାଇଁ ସେମାନଙ୍କୁ ଅତି କମ୍‌ରେ ସୁସ୍ଥ ହେବା ପରେ ୩ ମାସ ଅପେକ୍ଷା କରିବାକୁ ପଡ଼ିବ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। କାରଣ ଆରୋଗ୍ୟଲାଭ ବେଳେ ଜଣଙ୍କ ଶରୀରେ ବିକଶିତ ହୋଇଥିବା ଆଣ୍ଟିବଡି ଅତି କମ୍‌ରେ ତିନି ମାସ ଯାଏ କରୋନାଭୂତାଣୁ ବିରୋଧରେ ସୁରକ୍ଷା ଯୋଗାଇପାରିବ ବୋଲି ଅନୁଧ୍ୟାନରୁ ଜଣାଯାଇଛି। ଦେଶରେ ଦେଖାଦେଇଥିବା କୋଭିଡ୍‌ ଟିକାର ଘୋର ଅଭାବ ପରିସ୍ଥିତିରେ ଏ ପ୍ରକାର ସୁସ୍ଥ ହୋଇଥିବା ରୋଗୀଙ୍କର ଟିକାକରଣକୁ ୩ ମାସ ଘୁଞ୍ଚାଇବା ଦ୍ବାରା ଅନ୍ୟ କୌଣସି କୋଭିଡ୍‌ ସଂକ୍ରମଣପ୍ରବଣ ହିତାଧିକାରୀ ଟିକା ନେଇପାରିବେ ବୋଲି ଆଶା ରଖାଯାଇଛି। ମାତ୍ର ଏଭଳି ଜଣେ ସାବାଳକ କୋଭିଡ୍‌ ପୀଡ଼ିତ ସୁସ୍ଥ ହେବାର ୨୫ ଦିନ ଭିତରେ ଟିକା ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସେ ଏଥିପାଇଁ ପଞ୍ଜୀକରଣ କଲାବେଳେ ସରକାରଙ୍କ କୋ-ଵିନ୍‌ ଆପ୍‌ କିପରି ତାହା ରୋକିପାରିଲାନି ବୋଲି ବିଭିନ୍ନ ମହଲ ପ୍ରଶ୍ନ ଉଠାଇଛନ୍ତି।

ସୂଚନାନୁଯାୟୀ, ଦିଲ୍ଲୀ କୃଷ୍ଣନଗରର ୨୬ ବର୍ଷୀୟ ଅଂଶ କୋଭିଡ୍‌ରେ ପୀଡ଼ିତ ହୋଇ ଗତ ଏପ୍ରିଲ ମାସରେ ଚିକିତ୍ସାଧୀନ ଥିଲେ। ଏପ୍ରିଲ ୩୦ ତାରିଖରେ ତାଙ୍କର ନେଗେଟିଭ ବାହାରିଥିଲା। ମେ ପହିଲାରୁ ସରକାର ୧୮ରୁ ୪୪ ବର୍ଷ ବୟସର ନୂତନ ହିତାଧିକାରୀଙ୍କୁ ଟିକାକରଣରେ ସାମିଲ କରିବାକୁ ଘୋଷଣା କରିବାରୁ ଅଂଶ ମଧ୍ୟ ଟିକା ନେବା ପାଇଁ କୋ-ଵିନ୍‌ ଆପ୍‌ରେ ପଞ୍ଜୀକରଣ କରିଥିଲେ। ତେବେ ତାଙ୍କୁ ୨୪ ତାରିଖରେ ସ୍ଲଟ୍‌ ମିଳିଥିଲା ଏବଂ ସେ ସେଦିନ ଟିକା ମଧ୍ୟ ନେଇଛନ୍ତି। ଅପରପକ୍ଷେ, ଟିକା ପାଇଁ ସେ କୋ-ଵିନ୍‌ରେ ପଞ୍ଜୀକରଣ କଲା ବେଳେ କୋଭିଡ୍‌ରୁ ସୁସ୍ଥ ହୋଇଥିବାରୁ ତାଙ୍କୁ ୩ ମାସ ଯାଏ ଅପେକ୍ଷା କରିବାକୁ ହେବ ବୋଲି କୌଣସି ବିକଲ୍ପ ସୂଚନା ତାଙ୍କୁ ସେଥିରୁ ବିରତ କରିପାରିନଥିଲା। ସେହିପରି ଟିକାଦାନ କେନ୍ଦ୍ରରେ ମଧ୍ୟ କେହି ତାଙ୍କୁ ଏ ବିଷୟରେ କିଛି ପଚାରିନଥିଲେ କି ମନା କରିନଥିଲେ ବୋଲି ଅଂଶ କହିଛନ୍ତି। ଏପରିକି ସେ ଆର୍‌ଟି-ପିସିଆର୍‌ ପରୀକ୍ଷଣ ଓ ଟିକାକରଣ ପଞ୍ଜୀକରଣରେ ତାଙ୍କ ଆଧାର କାର୍ଡ ମଧ୍ୟ ବ୍ୟବହାର କରିଥିଲେ। କେବଳ ଅଂଶ କାହିଁକି, ଏଭଳି ଅନେକ ବ୍ୟକ୍ତି ତିନି ମାସ ଅପେକ୍ଷା ନକରି କୋଭିଡ୍‌ରୁ ସୁସ୍ଥ ହେବା ପରେ ପରେ ମଧ୍ୟ ଟିକା ନେବାର ନଜିର ରହିଛି। ତେବେ ଜଣେ କୋଭିଡ୍‌ରୁ ନିକଟରେ ସୁସ୍ଥ ହୋଇଛି କି ନାହିଁ କିମ୍ବା ସେ ସୁସ୍ଥ ହେବାର କେତେ ଦିନ ପରେ ଟିକା ନେଇପାରିବେ, ସେ ସଂକ୍ରାନ୍ତ କୌଣସି ସତର୍କ ସୂଚନା କୋ-ଵିନ୍‌ ଆପ୍‌ରେ ନାହିଁ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ସମ୍ବନ୍ଧିତ ଖବର