ବାୟୁସେନାର ବିମାନ ମାଧ୍ୟମରେ ଦେଶର ଦୁର୍ଗମ ସ୍ଥାନରେ ପହଞ୍ଚିବ କରୋନା ଟିକା

ନୂଆଦିଲ୍ଲୀ : ଭାରତ ସରକାର ସାରା ଦେଶରେ ଟିକାକରଣ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବାର ଯୋଜନା ରହିଛି । ଏହା ପୂର୍ବରୁ ଟିକାଗୁଡ଼ିକୁ ଦେଶର କୋଣଅନୁକୋଣରେ ପହଞ୍ଚାଇବା ଲାଗି ସରକାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସରକାର ଭାରତୀୟ ବାୟୁସେନାର ପରିବହନ ବିମାନ ମାଧ୍ୟମରେ ଟିକା ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବେ । ଏଥିପାଇଁ ଘରୋଇ ପରିବହନ ବିମାନଗୁଡ଼ିକୁ ମଧ୍ୟ ଉପଯୋଗ କରାଯିବ । ଏସବୁ ପରିବହନ ବିମାନ ମଧ୍ୟରେ ରହିଛି ସି-୧୩୦ଜେ ଓ ଅଣ୍ଟୋନୋଭ-୩୨ ପରିବହନ ବିମାନ । ଲଦାଖ, ଅରୁଣାଚଳପ୍ରଦେଶ ପରି ଦୂର ଓ ଦୂର୍ଗମ ଅଞ୍ଚଳରେ ଟିକା ପହଞ୍ଚାଇବାକୁ ବାୟୁସେନାର ବିମାନ ବ୍ୟବହାର କରାଯିବ । ଆବଶ୍ୟକ ପଡ଼ିଲେ ବାୟୁସେନାର ହେଲିକାପ୍ଟରଗୁଡ଼ିକୁ ମଧ୍ୟ ଉପଯୋଗ କରାଯିବ । ଏସବୁ ବିମାନଗୁଡ଼ିକ ମିଲିଟାରୀ ଏୟାରଷ୍ଟ୍ରିପଗୁଡ଼ିକରେ ଓହ୍ଲାଇବ । ସେହିପରି ମିଲିଟାରୀ ଏୟରଷ୍ଟ୍ରିପଗୁଡ଼ିକର ବ୍ୟବହାର ପାଇଁ ଘରୋଇ ବିମାନଗୁଡ଼ିକୁ ମଧ୍ୟ ଅନୁମତି ଦିଆଯିବ ।

ଅନ୍ୟପକ୍ଷରେ ଟିକାଗୁଡ଼ିକ ଯେପରି ଉପଯୁକ୍ତ ତାପମାତ୍ରାରେ ରହେ, ସେଥିପାଇଁ ଟିକା କମ୍ପାନିମାନେ ସ୍ବତନ୍ତ୍ର କଣ୍ଟେନର ପ୍ରସ୍ତୁତ କରିଛନ୍ତି । ଏସବୁ କଣ୍ଟେନରଗୁଡ଼ିକରେ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଟିକା ସୁରକ୍ଷିତ ରହିବ ।

ଭାରତର ଔଷଧ ନିୟନ୍ତ୍ରକ ୨ଟି ଟିକାକୁ ଅନୁମତି ଦେଇଛନ୍ତି । ସେଗୁଡ଼ିକ ହେଉଛି ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦନ ହେଉଥିବା କୋଭିସିଲଡ ଓ ଭାରତ ବାୟୋଟେକର କୋଭାକ୍ସିନ ।

ସମ୍ବନ୍ଧିତ ଖବର