ବଡ଼ଦୋରା: ବାହାରକୁ ଦେଖାଇ ଆମିଷ ଆହାର ବିକ୍ରୟ କରୁଥିବା ରାସ୍ତାକଡ଼ ଦୋକାନୀମାନଙ୍କ ପ୍ରତି ଦଣ୍ଡବିଧାନ କରିବା ଲାଗି ଗୁଜରାଟର ବଡ଼ଦୋରା ନୂଆ ଅଭିଯାନ ଆରମ୍ଭ କରିବ ବୋଲି କୁହାଯାଉଛି।
ସ୍ଥାନୀୟ ରିପୋର୍ଟ ଅନୁସାରେ, ଫୁଡ୍ ଷ୍ଟଲ୍ ସବୁ ବାହାରକୁ ଦେଖାଇ ଯେମିତି ଆମିଷ ଆହାର ବିକ୍ରୟ ନ କରନ୍ତି ସେଥିପ୍ରତି ସୁନିଶ୍ଚିତ ହେବାକୁ ବଡ଼ଦୋରା ପୌର ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ସେଭଳି ଷ୍ଟଲ୍ ଏବଂ ଠେଲାଗାଡ଼ି ସବୁ ମାଂସ ଭଳି ଆମିଷ ଆହାରକୁ ଭଲଭାବେ ଘୋଡ଼ାଇ ରଖି ବିକ୍ରୟ କରିବା ଉଚିତ। ଅଣ୍ଡାରୁ ପ୍ରସ୍ତୁତ ଖାଦ୍ୟ ବିକ୍ରୟ କରୁଥିବା ଠେଲାଗାଡ଼ି ପ୍ରତି ମଧ୍ୟ ଏହି ନିର୍ଦେଶନାମା ଲାଗୁ ହେବ।
ବଡ଼ଦୋରା ମହାନଗର ନିଗମର ‘ଷ୍ଟାଣ୍ଡିଙ୍ଗ୍ କମିଟି’ର ଅଧ୍ୟକ୍ଷ ହିତେନ୍ଦ୍ର ପଟେଲ୍ ମୌଖିକ ଭାବେ ଏଭଳି ନିର୍ଦେଶନାମା ଜାରି କରିଥିବା କୁହାଯାଉଛି। କେଉଁ ଆଧାରରେ ପଟେଲ୍ଙ୍କ ନିର୍ଦେଶନାମା ପାଳନ କରାଯିବ ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ସ୍ଥାନୀୟ ରିପୋର୍ଟ ଅନୁସାରେ, ପଟେଲ୍ କହିଛନ୍ତି ଯେ, ବିଶେଷ କରି ମାଛ, ମାଂସ ଏବଂ ଅଣ୍ଡା ବିକ୍ରୟ କରୁଥିବା ଫୁଡ୍ ଷ୍ଟଲ୍ଗୁଡ଼ିକ ପାଇଁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେଗୁଡ଼ିକୁ ଘୋଡ଼ାଇବାକୁ ନିର୍ଦେଶ ଦିଆଯିବ। ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବାରୁ ସେମାନଙ୍କୁ ମୁଖ୍ୟ ସଡ଼କ ପାର୍ଶ୍ବରୁ ହଟି ଯିବାକୁ କୁହାଯିବ।